ପୁରୀ: ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ଏହି ପବିତ୍ର ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ତଥା ବିଶ୍ୱପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ଭଗବାନ ଶିବଙ୍କ ଏକ ଆକର୍ଷଣୀୟ ବାଲୁକା ମୂର୍ତ୍ତି। ପ୍ରାୟ ୭ ଫୁଟ ଉଚ୍ଚର ଏହି ବାଲୁକା କଳା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ଶ୍ରାବଣ ସୋମବାରର ଧାର୍ମିକ ମାହାତ୍ମ୍ୟକୁ ନଜରରେ ରଖି ଏହି ବିଶେଷ ବାଲୁକା କଳା ପ୍ରସ୍ତୁତ କରାଯାଇଛି। ଏଥିରେ ଭଗବାନ ଶିବଙ୍କୁ ତ୍ରିଶୂଳ ଧାରଣ କରିଥିବା ବେଳେ ଦେଖାଯାଇଛି। ମହାଦେବଙ୍କ ବେକରେ ସର୍ପ ରହିଥିବା ସହ ନିକଟରେ ଏକ କାଉଁଡ଼ିଆ ମଧ୍ୟ ସ୍ଥାନ ପାଇଛି। ସାମ୍ନାରେ ଜଣେ କାଉଁଡ଼ିଆ ଭକ୍ତ ମହାଦେବଙ୍କ ଆଶୀର୍ବାଦ ଗ୍ରହଣ କରୁଥିବା ଦୃଶ୍ୟକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି।
ବାଲୁକା କଳାରେ ‘Om Namah Shivaya’ ଏବଂ ‘Bhole Baba Paar Karega’ ଲେଖା ଯାଇଛି। ଏହି ଦୁଇଟି ବାର୍ତ୍ତା ଭକ୍ତଙ୍କ ମନରେ ଭକ୍ତି, ବିଶ୍ୱାସ ଓ ଆଶାର ଭାବନା ସୃଷ୍ଟି କରୁଛି।
ସୁଦର୍ଶନ ପଟ୍ଟନାୟକଙ୍କ ସହ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟ୍ର ଛାତ୍ରଛାତ୍ରୀମାନେ ଏହି କଳାକୃତି ନିର୍ମାଣରେ ସାମିଲ ହୋଇଥିଲେ। ଶ୍ରାବଣ ମାସର ପବିତ୍ର ପରମ୍ପରା, ଭକ୍ତି ଓ ଆସ୍ଥାକୁ ଏହି କଳାକୃତି ମାଧ୍ୟମରେ ପ୍ରକାଶ କରାଯାଇଛି।
ସୁଦର୍ଶନ କହିଛନ୍ତି, ଏହି ବାଲୁକା କଳା ମାଧ୍ୟମରେ ବିଶ୍ୱାସ, ଆଶା, ଶାନ୍ତି ଓ ପ୍ରକୃତି ସହ ସନ୍ତୁଳିତ ଜୀବନର ବାର୍ତ୍ତା ଦେବା ତାଙ୍କର ଉଦ୍ଦେଶ୍ୟ। ମହାଦେବ ସମସ୍ତଙ୍କ ଜୀବନର ସମସ୍ତ ବାଧା ଦୂର କରି ଶାନ୍ତି, ସାହସ, ସୁସ୍ଥତା, ସୁଖ ଓ ସମୃଦ୍ଧି ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି। ଶ୍ରାବଣର ପବିତ୍ର ସୋମବାରରେ ପୁରୀ ବେଳାଭୂମିର ଏହି ‘ବାଲିର ମହାଦେବ’ ଭକ୍ତି ସହ କଳାର ଏକ ଅପୂର୍ବ ସଙ୍ଗମର ବାର୍ତ୍ତା ଦେଉଛି।