ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଓଭରବ୍ରିଜ୍ ଉପରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଘରୋଇ ଯାତ୍ରୀବାହୀ ବସ୍ ବାଇକକୁ ଧକ୍କା ଦେବା ଫଳରେ ବାପାଙ୍କର ମୃତ୍ୟୁ ହୋଇଥିବାବେଳେ ପୁଅ ଗୁରୁତର ଅଛି । ଗୁରୁତର ପୁଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୋମବାର ସକାଳେ ଦୁଇ ଜଣ ବାପା ଓ ପୁଅ କୌଣସି ଏକ କାମରେ ଘରୁ ବାହାରି ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ଖଣ୍ଡଗିରି ଓଭରବ୍ରିଜ୍ ଉପର ଦେଇ ଯାଉଥିବାବେଳେ ସେମାନଙ୍କୁ ଏକ ବସ୍ ପିଟି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାପାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ମାତ୍ର ପୁଅ ଗୁରୁତର ହୋଇଛନ୍ତି । ଖବର ପାଇ ଖଣ୍ଡଗିରି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବାପ ପୁଅକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ବାପାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ସେପଟେ ଦୁର୍ଘଟଣା ଘଟାଇଥିବା ବସ୍ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଓଭରବ୍ରିଜ ଉପରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଛି ।