କନ୍ଧମାଳରୁ ମହାରାଷ୍ଟ୍ରକୁ କାଜୁ ବୋଝେଇ ଟ୍ରକ୍ ରେ ଗଞ୍ଜେଇ ଚାଲାଣ ବେଳେ ଫିରିଙ୍ଗିଆ ପୁଲିସ ଚଢ଼ଉ କରି ୧୦ କ୍ୱିଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସମେତ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବିହାର ସମସ୍ତିପୁର ଜିଲ୍ଲା ମୋହନପୁର ଥାନା ଅଞ୍ଚଳର ଲାଲମୋହନ ଏବଂ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମର ସାନନ୍ଦ ସାହୁ । ଲାଲମୋହନ ଟ୍ରକ୍ ଚାଳକ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ କାଜୁ ବୋଝେଇ ଟ୍ରକ୍ ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀଧର ସାହୁଙ୍କ ନିର୍ଦ୍ଦେଶରେ ଏସ୍ ଆଇ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ପୁଲିସ ଟିମ୍ ଫିରିଙ୍ଗିଆ-ଫୁଲବାଣୀ ମୁଖ୍ୟରାସ୍ତାର ବଲମପଦର ଛକ ନିକଟରେ ଟ୍ରକ୍ଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଟ୍ରକ୍ରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ପୃଥ୍ବୀରାଜ ମହାନନ୍ଦିଆଙ୍କ ଉପସ୍ଥିତିରେ ଗଞ୍ଜେଇ ବାହାର କରାଯାଇ ଓଜନ କରାଯାଇଥିଲା। ଏନେଇ ଫିରିଙ୍ଗିଆ ଥାନାରେ ୧୫୧/୨୦୨୬ ନମ୍ବରରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମୁରଲୀଧର ସାହୁ ସୂଚନା ଦେଇଛନ୍ତି। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି ଏବଂ ସମସ୍ତଙ୍କୁ ଧରାଯିବ ବୋଲି ଏସପି କହିଛନ୍ତି।