ଭୁବନେଶ୍ୱର : ଆଜି ପବିତ୍ର ଶ୍ରାବଣ ମାସର ଦ୍ବିତୀୟ ସୋମବାର। ରାଜ୍ଯର ବିଭିନ୍ନ ଶୈବପୀଠ ଯଥା, ଲିଙ୍ଗରାଜ ଏବଂ ମହାନଦୀ ଗଡ଼ଗଡ଼ିଆ ଘାଟ , ଧବଳେଶ୍ଵର,କପିଳାସ,ଅଟ୍ରି ହଟକେଶ୍ୱର ଆଦି ଅନେକ ଶୈବପୀଠରେ ଜଳାଭିଷେକ ପାଇଁ କାଉଡ଼ିଆ ଓ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
ରାଜ୍ଯର ସମସ୍ତ ଶିବ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଶିବଲିଙ୍ଗରେ ଜଳାଭିଷେକ କରି ମନସ୍କାମନା ପୂରଣ ଆଶାରେ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି । ହର ହର ମହାଦେବ ଓ ବୋଲ୍ବମ ଧ୍ୱନିରେ ଗୁଞ୍ଜରିତ ହୋଇଉଠୁଛି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପୀଠ ।
ମନ୍ଦିର ମାନଙ୍କରେ ଭୋର ସମୟରେ ମନ୍ଦିରର ପହଡ଼ ଫିଟିବା ପରେ ମହାଦେବଙ୍କ ନୀତିକାନ୍ତି ଓ ସୋମବାର ବିଶେଷ ପୂଜାର୍ଚ୍ଚନା ହୋଇଛି। ଦୂରଦୂରାନ୍ତରୁ ଆସିଥିବା କାଉଡ଼ିଆ ଓ ମାନସିକଧାରୀ ପୁରୁଷ ଏବଂ ମହିଳା ଶ୍ରଦ୍ଧାଳୁମାନେ ନଦୀଘାଟରୁ ନୀତିନିଷ୍ଠାର ସହ ପବିତ୍ର ଜଳ ଆଣି ପ୍ରଭୁଙ୍କ ଶିବଲିଙ୍ଗରେ ଢାଳିଛନ୍ତି । ଭକ୍ତମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ଶିବଲିଙ୍ଗରେ ଜଳ ଲାଗି କରିବା ସହ ଦୀପ ଜାଳି, ଜଳାଭିଷେକ କରିବା ସହିତ ପାଦୁକ ଗ୍ରହଣ କରି ପ୍ରଭୁଙ୍କ କୃପା ଭିକ୍ଷା କରିଛନ୍ତି ।
ଲୋକବିଶ୍ୱାସ ରହିଛି ଯେ, ଶ୍ରାବଣ ସୋମବାରରେ ଶିବଙ୍କ ମସ୍ତକରେ ନିଷ୍ଠାର ସହ ଜଳାଭିଷେକ କଲେ ଭକ୍ତଙ୍କ ପ୍ରତ୍ୟେକ ଆଶା ଓ ମନସ୍କାମନା ପୂରଣ ହୋଇଥାଏ ।
ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ସବୁ ମନ୍ଦିର ପରିଚାଳନା କମିଟି ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି ।