ଶ୍ରାବଣ ସୋମବାରରେ ଘଟିଲା ଅଘଟଣ। ପାଣିର ପ୍ରଖର ସ୍ରୋତରେ ଭାସିଗଲେ ଦୁଇ ଜଣ କାଉଡ଼ିଆ। ଜଣେ ନିଖୋଜ ଥିବାବେଳେ ଜଣେ ଉଦ୍ଧାର ହୋଇଛନ୍ତି। ଅନୁଗୋଳ ଟିପିରିସିଂହା ନିକଟ ଲିଙ୍ଗରା ନାଳରେ କାଉଡିଆ ଦୁଇ ଜଣ ପାଣି ଉଠାଉଥିବା ବେଳେ ଏହି ଅଘଟଣ ଘଟିଛି।
ସୂଚନା ଅନୁଯାୟୀ ଟିପିରିସିଂହା ମନ୍ଦିରରେ ଜଳାଭିଷେକ କରିବା ପାଇଁ ଦୁଇ କାଉଡ଼ିଆ ଲିଙ୍ଗରା ନାଳରୁ ପାଣି ଉଠାଉଥିଲେ। ଏହି ସମୟରେ ହଠାତ୍ ପାଣିର ପ୍ରଖର ସ୍ରୋତରେ ଦୁହେଁ ଭାସିଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ନିଖୋଜ କାଉଡ଼ିଆଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି ରହିଛି। ବର୍ତ୍ତମାନ ବର୍ଷାଦିନ ଥିବାରୁ ଏଭଳି ସମୟରେ ନଦୀ, ନାଳ ଓ ଜଳାଶୟକୁ ଯିବାବେଳେ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି।