ଖୋର୍ଦ୍ଧା: ଟ୍ରାକ୍ଟର ଓଲଟି ପଡ଼ି ପୋଖରୀରେ ଚାପି ହୋଇଗଲେ ଚାଳକ। ଦୀର୍ଘ ପ୍ରାୟ ୩ ଘଣ୍ଟାର ଅପରେସନ୍ ପରେ ପାଣି ଭିତରୁ ଉଦ୍ଧାର ହେଲା ମୃତଦେହ। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଧୀନ ଗୁଆପୁର ବାଲୁଙ୍କେଶ୍ୱର ନିକଟରେ ସୋମବାର ଘଟିଛି ଏଭଳି ଦୁଃଖଦ ଦୁର୍ଘଟଣା। ମୃତ ଟ୍ରାକ୍ଟର ଚାଳକ ହେଲେ ଆଲୋଇ ଗାଁର ସୌମ୍ୟରଞ୍ଜନ କାଣ୍ଡି ଓରଫ ବିପିନ।
ସୂଚନା ଅନୁସାରେ, ସୋମବାର କୌଣସି କାରଣରୁ ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇଥିଲା। ଫଳରେ ଟ୍ରାକ୍ଟରଟି ରାସ୍ତା କଡ଼ରେ ଥିବା ଏକ ପୋଖରୀକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ ଟ୍ରାକ୍ଟରର ଭାରୀ ଇଞ୍ଜିନ ଚାଳକଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ସେ ପାଣି ଭିତରେ ଇଞ୍ଜିନ ତଳେ ଚାପି ହୋଇ ରହିଯାଇଥିଲେ। ଇଞ୍ଜିନ ତଳେ ଫସି ଯାଇଥିବାରୁ ନିଜେ ବାହାରିବା ତାଙ୍କ ପାଇଁ ସମ୍ଭବ ହୋଇନଥିଲା।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ପୋଖରୀର ଗଭୀର ପାଣି ଭିତରେ ଭାରୀ ଇଞ୍ଜିନ ତଳେ ଚାପି ରହିଥିବାରୁ ଚାଳକଙ୍କୁ ବାହାର କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ବେଶ୍ କଷ୍ଟକର ହୋଇଥିଲା। ପ୍ରାୟ ୩ ଘଣ୍ଟାର କଠିନ ପରିଶ୍ରମ ପରେ ଇଞ୍ଜିନ ତଳୁ ଚାଳକଙ୍କୁ ପାଣି ଭିତରୁ ବାହାର କରାଯାଇଥିଲା।
ଉଦ୍ଧାର ପରେ ଗୁରୁତର ଅବସ୍ଥାରେ ସୌମ୍ୟରଞ୍ଜନଙ୍କୁ ବାଲିପାଟଣା କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନିଆଯାଇଥିଲା। କିନ୍ତୁ ପରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଦୁର୍ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା। ଯୁବ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁକୁ ନେଇ ଆଲୋଇ ଗାଁ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।