ଝାରସୁଗୁଡ଼ା : ସାପ କାମୁଡାରେ ମଣିଷ ମରିବା କଥା ଆମେ ଜାଣିଛେ ହେଲେ ମଣିଷ କାମଡାରେ ମରିଛି ସାପ । ଝାରସୁଗୁଡ଼ା ଜିଲ୍ଲା ଲାଇକେରା ଥାନା ଅଞ୍ଚଳରେ ଏହି ଅଜବ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ନାଗ ସାପର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇଲେ ଯୁବକ। ହସ୍ପିଟାଲରେ ୨୪ ଘଣ୍ଟିଆ ନିରୀକ୍ଷଣରେ ରହିଛନ୍ତି। ସାପ କାମୁଡ଼ିଲେ ଲୋକେ ସାପଠାରୁ ଦୂରେଇ ଯାଆନ୍ତି, କିନ୍ତୁ ଏଠାରେ ଯୁବକ ଜଣକ ଗୁଣିଆ କଥାରେ ବିଶ୍ୱାସ କରି ନାଗ ସାପକୁ ହାତରେ ଧରି ତାହାର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ପାକେଲପଡ଼ା ନିକଟ କର୍ମାପଡ଼ାର ଧରମସିଂ ଖଡ଼ିଆ ରବିବାର ସନ୍ଧ୍ୟାରେ କ୍ଷେତକୁ ଯାଉଥିବା ବେଳେ ଅଜାଣତରେ ତାଙ୍କ ଗୋଡ଼ ଏକ ନାଗ ସାପ ଉପରେ ପଡ଼ିଥିଲା। ସାପଟି ଫଣା ଟେକିବା ପରେ ସେ ଭୟଭୀତ ହୋଇପଡ଼ିଥିଲେ। ପୂର୍ବରୁ ଜଣେ ଗୁଣିଆଙ୍କଠାରୁ ଶୁଣିଥିବା କଥାକୁ ବିଶ୍ୱାସ କରି ସେ ସାପଟିକୁ ହାତରେ ଧରି ଫଣାକୁ ଦାନ୍ତରେ କାମୁଡ଼ିଥିବା ଜଣାପଡ଼ିଛି। ଏଥିରେ ସାପଟି ଗୁରୁତର ଆହତ ହୋଇ ମରିଯାଇଥିଲା। ଘଟଣା ପରେ ଧରମସିଂ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରମାନେ ପରୀକ୍ଷା କରିବା ପରେ ସ୍ୱାସ୍ଥ୍ୟ ସ୍ଥିର ଥିବା କହିଥିଲେ । ତେବେ ସତର୍କତାମୂଳକ ଭାବେ ତାଙ୍କୁ ୨୪ ଘଣ୍ଟା ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି।