ନୂଆଦିଲ୍ଲୀ: ଆସାମ ଓ ଅରୁଣାଚଳ ମଧ୍ୟରେ ସୀମା ବିବାଦ ତୀବ୍ର ରୂପ ଧାରଣ କରିଛି । ଉଭୟ ରାଜ୍ୟର ସୀମାରେ କେହି ଜଣେ ଅଜଣା ବ୍ୟକ୍ତି ଗୁଳି ଚାଳନା କରିଛି । ଫଳରେ ଆସାମ ସୀମାରେ ୮ ଜଣ ଗ୍ରାମୀଣ ବାସିନ୍ଦା ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଆଜି ସକାଳେ ଆସାମ-ଅରୁଣାଚଳ ପ୍ରଦେଶ ସୀମାନ୍ତରେ ଥିବା ମିଙ୍ଗମାଙ୍ଗ ବସ୍ତିରେ ଗୁଳି କାଣ୍ଡ ହୋଇଛି । ଜମି ବିବାଦକୁ ନେଇ ଅରୁଣାଚଳ ପ୍ରଦେଶର ବାସିନ୍ଦା ପକ୍ଷରୁ ଏହି ଗୁଳି କାଣ୍ଡ ହୋଇଛି । ସୀମା ପାର ବିବାଦକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ଆସାମର ବାସିନ୍ଦାଙ୍କୁ ଟାର୍ଗେଟ କରି ଅଚାନକ ଗୁଳି ଚଳାଇଥିଲେ। ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଦୁର୍ଗେଶ୍ୱର ପତିର, ରୋହିତ ଡୋଲେ, ନାଗରାଜ ଡୋଲେ, ବିଗେଶ୍ୱର ପତିର, ପାମେ ପେଗୁ, ସଞ୍ଜୟ ତାୟୁଙ୍ଗ, ଉତ୍ପଳ ଡୋଲେ ଏବଂ ଜାନ ଡୋଲେ । ଆହତମାନଙ୍କୁ ପ୍ରଥମେ ଗୋଗାମୁଖ ଗ୍ରାମୀଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ସାତ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଧେମାଜି ସିଭିଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏ ପ୍ରସଙ୍ଗରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଛନ୍ତି । ଶାନ୍ତି ବଜାୟ ରଖିବାକୁ ଉଭୟ ରାଜ୍ୟକୁ ଅନୁରୋଧ କରିଛନ୍ତି । ଆସାମ ତାର ଇଞ୍ଚେ ବି ଜମି ହରାଇବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଶ୍ୱସନା ଦେଇଛନ୍ତି ।
ଆସାମ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ଦଶନ୍ଧି ଧରି ସୀମା ବିବାଦ ଲାଗି ରହିଛି । ଆଲୋଚନା ଏବଂ ସୀମା ନିର୍ଦ୍ଧାରଣ ମାଧ୍ୟମରେ ଉଭୟ ରାଜ୍ୟ ସମସ୍ୟାର ସମାଧାନ ପାଇଁ ଆଲୋଚନା କରୁଥିବା ବେଳେ, ଅନେକ ସୀମାନ୍ତ ଅଞ୍ଚଳ ସମ୍ବେଦନଶୀଳ ରହିଛି । ତେବେ ଏହି ଘଟଣା ପରେ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଉଭୟ ରାଜ୍ୟ ପକ୍ଷରୁ ବୃଦ୍ଧି କରାଯାଇଛି ।