ଭୁବନେଶ୍ୱର: ଖରିଫ ଧାନ କିଣାବିକା ଓ ଚାଷୀ ପଞ୍ଜୀକରଣକୁ ନେଇ ବଡ଼ ନିଷ୍ପତ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ଚାଷୀଙ୍କୁ Agristackରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ନୁହେଁ। କୌଣସି ଚାଷୀଙ୍କୁ ଧାନ ବିକ୍ରିରୁ ବଞ୍ଚିତ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ଖରିଫ ଧାନ କିଣାବିକା ୨୦୨୬-୨୭ ଓ ଚାଷୀ ପଞ୍ଜୀକରଣ ନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ହୋଇଥିଲା। ବୈଠକରେ ଚାଷୀଙ୍କ ପଞ୍ଜୀକରଣକୁ ସ୍ୱଚ୍ଛ, ସରଳ ଓ ଅସୁବିଧାମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଚାଷୀମାନେ PACS, କମନ୍ ସର୍ଭିସ ସେଣ୍ଟର (CSC) କିମ୍ବା ସହାୟତାପ୍ରାପ୍ତ ବ୍ୟବସ୍ଥା ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପ୍ରକ୍ରିୟା ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଖୋଲା ରହିବ।
ସରକାରଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ Agristackରେ ୬ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକୃତ ହୋଇସାରିଛନ୍ତି। ଭାଗଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଅଲଗା ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି। ସେହିପରି ରବି ୨୦୨୫-୨୬ ଋତୁରେ ୩.୬୩ ଲକ୍ଷ ଚାଷୀଙ୍କଠାରୁ ୨୦.୪୬ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଥିବା ବେଳେ MSP ଓ ଇନ୍ପୁଟ୍ ସହାୟତା ବାବଦରେ ୪,୮୪୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଖରିଫ ୨୦୨୬-୨୭ ପାଇଁ ଏବେ ସୁଦ୍ଧା ୯୪,୬୫୭ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିସାରିଛନ୍ତି। ପଞ୍ଜୀକରଣରେ ବାଲେଶ୍ୱର ଜିଲ୍ଲା ଆଗରେ ରହିଛି।
ଚାଷୀଙ୍କୁ ଭୁଲ ତଥ୍ୟରୁ ଦୂରେଇ ରଖିବା ସହ ପଞ୍ଜୀକରଣରେ ସହାୟତା ପାଇଁ ସବ୍ଡିଭିଜନ୍ ଓ ପଞ୍ଚାୟତସ୍ତରରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି। କୌଣସି ଚାଷୀ ଧାନ ବିକ୍ରିରୁ ବାଦ ପଡ଼ିବେ ନାହିଁ ବୋଲି ସରକାର ପୁଣିଥରେ ସ୍ପଷ୍ଟ କରିଛନ୍ତି।