ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଏକ ବଡ଼ ଧରଣର ଲୁଟ୍ ହୋଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଘରେ ପଶି ଚୋରମାନେ ୬୦ ଲକ୍ଷ ଟଙ୍କାର ଅଳଙ୍କାର ସହିତ ନଗଦ ୮ ଲକ୍ଷ ଟଙ୍କା ଚୋରି କରିନେଇଛନ୍ତି ।
ଖବର ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଦିଗପହଣ୍ଡି ରାଜପୁର ରୋଡ଼ରେ ଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ସାହୁଙ୍କ ଘରେ ଡକାୟତମାନେ ପଶିଥିଲେ । ଡକାୟତମାନେ ଆଲମିରାର ତାଲା ଭାଙ୍ଗି ପ୍ରାୟ ୩୦ ଭରି ସୁନା ଅଳଙ୍କାର ଓ ୫୦ ଭରି ରୂପା ଅଳଙ୍କାର ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ । ସେହିପରି ଆଲମିରାରେ ଥିବା ନଗଦ ୮ ଲକ୍ଷ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଏ ନେଇ ଭାସ୍କର ସାହୁଙ୍କ ପକ୍ଷରୁ ଦିଗପହଣ୍ଡି ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ତତସହିତ ବ୍ରହ୍ମପୁର ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ମଧ୍ୟ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଡକାୟତମାନଙ୍କୁ ଧରିବାକୁ ଚେଷ୍ଟା କରୁଛି ।