ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ କ୍ରମଶଃ ବୃଦ୍ଧି ପାଇବ ଏବଂ ୧୩ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ଲଗାଣ ବର୍ଷା ଯାହାକୁ ନେଇ ଉତ୍ତର ଓ ପଶ୍ଚିମ ଓଡ଼ିଶାର ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ବିଶେଷକରି ମହାନଦୀର ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ସମ୍ଭାବନା ଥିବାରୁ ନଦୀର ଜଳପ୍ରବାହ ବୃଦ୍ଧି ପାଇ ମହାନଦୀ ଭୟଙ୍କର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି।
କେଉଁ ଦିନ କେଉଁଠି ବର୍ଷା ?
ବରିଷ୍ଠ ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁଙ୍କ ସୂଚନା ଅନୁଯାୟୀ, ସମ୍ଭାବ୍ୟ ଲଘୁଚାପଟି ଅଧିକ ଘନୀଭୂତ ହୋଇ ୧୪ କିମ୍ବା ୧୫ ତାରିଖ ଆଡ଼କୁ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ।ମଙ୍ଗଳବାର ରାଜ୍ୟର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିମଧ୍ୟରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ଖୋର୍ଦ୍ଧା ସମେତ ପ୍ରାୟ ୨୨ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।
ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିପାରେ। ବୁଧବାର ୧୩ରୁ ୧୬ ତାରିଖ ମଧ୍ୟରେ ବର୍ଷାର ପରିମାଣ ଆହୁରି ବଢ଼ିବ। ବିଶେଷକରି କଟକ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି।
ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ସତର୍କ
ଛତିଶଗଡ଼ସ୍ଥ ମହାନଦୀ ଉପରମୁଣ୍ଡ ଏବଂ ଉତ୍ତର ଓଡ଼ିଶାରେ ହେବାକୁ ଥିବା ଲଗାଣ ବର୍ଷା ଯାହାକୁ ନେଇ ନଦୀକୂଳିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଜଳସମ୍ପଦ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି।