ଯାଜପୁର: ରାଜ୍ୟରେ ମାତିଛନ୍ତି ସଶସ୍ତ୍ର ଅଣଓଡ଼ିଆ ଲୁଟେରା । ଯାଜପୁର ସଦର ଥାନା ଅନ୍ତର୍ଗତ ଇନ୍ଦରାଇ-ବାଙ୍କସାହି ରାସ୍ତାରେ ବଡ଼ ଧରଣର ଲୁଟ ହୋଇଛି । ବନ୍ଧୁକ ମୁନରେ ଗହଣା ଦୋକାନୀଙ୍କ ଠାରୁ ସୁନା ଓ ରୁପା ଅଳଙ୍କାର ସହିତ ୫୦ହଜାର ଟଙ୍କା ଲୁଟି ନେଇଛନ୍ତି। ସଦର ଥାନା ପୋଲିସ ଲୁଟେରା ମାନଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ବନ୍ଧଢିହ ଗ୍ରାମର ବିଜୟ କୁମାର ସାହୁ ସଦର ଥାନା ଶିବା ଛକରେ ଏକ ଗହଣା ଦୋକାନ କରିଛନ୍ତି । ଗତକାଲି ରାତିରେ ଦୋକାନ ବନ୍ଦ କରି ହାତରେ ଗହଣା ବ୍ୟାଗ ଏବଂ ଟଙ୍କା ଧରି ନିଜ ପତ୍ନୀଙ୍କ ସହିତ ବାଇକରେ ଆସୁଥିଲେ । ତାଙ୍କ ବ୍ୟାଗରେ ୫ କିଲୋଗ୍ରାମ ରୁପା, ୧୫୦ ଗ୍ରାମ ସୁନା ଏବଂ ନଗଦ ୫୦ ହଜାର ଟଙ୍କା ଥିଲା । ଇନ୍ଦରାଇ-ବାଙ୍କସାହି ରାସ୍ତାରେ ଏକ ନିର୍ଜନ ସ୍ଥାନରେ ୪ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଥିଲେ । ଏହା ପରେ ଗୁଳି ଫୁଟାଇ ସେମାନଙ୍କଠାରୁ ଗହଣା ଭର୍ତ୍ତି ବ୍ୟାଗ୍ ଧରି ଚମ୍ପଟ୍ ମାରିଥିଲେ ।
ଏ ନେଇ ବିଜୟ ସାହୁ ସଦର ଥାନାକୁ ତୁରନ୍ତ ଜଣାଇଥିଲେ । ଲୁଟେରାମାନେ ହିନ୍ଦୀ ଭାଷାରେ କଥା ହେଉଥିବା ସେମାନେ କହିଛନ୍ତି ।ପୋଲିସ ଘଟଣା ସ୍ଥଳରେ ପହଁଚି ଖୋକା ଜବତ କରିଛି । ଏହା ସହିତ ତାଙ୍କ ଦୋକାନ ଏବଂ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରିଛି । ଦୁଇ ଜଣ ସନ୍ଧିଗ୍ଧଙ୍କ ଚିହ୍ନଟ କରାଯାଇଛି । ଏମାନେ ଲୁଟ୍ ପୂର୍ବରୁ ରେକି କରୁଥିବା ପୋଲିସ ସନ୍ଦେହ କରାଯାଉଛି । ତେବେ ଖୁବ ଶୀଘ୍ର ଲୁଟେରାମାନଙ୍କୁ ଧରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।