ଗଞ୍ଜାମ : ଲିଫ୍ଟ ନଦେବାରୁ ବେକ କାଟିଦେଲା ଯୁବକ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡୁର ଛକ ନିକଟରେ ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆହାତ ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।
ସୂଚନା ଅନୁସାରେ ବିଳମ୍ବିତ ରାତିରେ ଜଣେ ଯୁବକ ଗାଡ଼ି ଚାଳକଙ୍କୁ ଲିଫ୍ଟ ମାଗିଥିଲେ । ତେବେ କୌଣସି କାରଣରୁ ଗାଡ଼ି ଚାଳକ ତାଙ୍କୁ ଲିଫ୍ଟ ଦେବାକୁ ମନା କରିଦେଇଥିଲେ । ଏଥିରେ ଯୁବକ ଜଣକ ଉତ୍କ୍ଷିପ୍ତ ହୋଇ ହଠାତ୍ ଛୁରୀରେ ଗାଡ଼ି ଚାଳକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଗାଡ଼ି ଚାଳକଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଛି । ଘଟଣା ପରେ ସେ ଗୁରୁତର ଆହତ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ସେଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପଟେ ଘଟଣାକୁ ନେଇ ହିଞ୍ଜିଳିକାଟୁ ପୋଲିସ ଛାନଭିନ୍ ଆରମ୍ଭ କରିଛି । ଆକ୍ରମଣ ପଛରେ ପ୍ରକୃତ କାରଣ କ’ଣ ଏବଂ ଘଟଣାରେ କିଏ ସମ୍ପୃକ୍ତ, ସେନେଇ ତଦନ୍ତ ଚାଲିଛି । ଲିଫ୍ଟ ଦେବାକୁ ମନା କରିବାକୁ ନେଇ ଏଭଳି ହିଂସାତ୍ମକ ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।