ନୂଆଦିଲ୍ଲୀ: ପୁଣି ଥରେ ଗଣ ବଳାତ୍କାର ଏବଂ ବିଭତ୍ସ ହତ୍ୟାରେ ଦୋହଲିଛି ଜାତୀୟ ରାଜଧାନୀ ଦିଲ୍ଲୀ । ଜଣେ ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଏହି ମାମଲାରେ ପୋଲିସ ୩ ଜଣ ନାବାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କଠାରୁ ଛୁରୀ ଓ ଏକ ଟେମ୍ପୋ ଗାଡ଼ି ଜବତ କରିଛି ।
ଅତିରିକ୍ତ ଡିସିପି ଲୋକେଶ ବରଣଙ୍କ ପୋଲିସ ସୂଚନା ଅନୁସାରେ, ଦିଲ୍ଲୀ ଉପକଣ୍ଠସ୍ଥ ସ୍ୱରୂପ ନଗର ଅଞ୍ଚଳରେ ଜଣେ ନାବାଳିକାକୁ ୪ ଜଣ ଗଣଦୁଷ୍କର୍ମ କରିଛନ୍ତି । ସେପ୍ଟେମ୍ବର ୧୩ ତାରିଖ ସକାଳେ, ସ୍ୱରୂପ ନଗର ପୋଲିସ୍ କୁଶାକ୍ ରୋଡ୍ର 'ଲାଲ୍ ବାଉଣ୍ଡାରୀ' ନିକଟସ୍ଥ ଜୟପାଲ ରାଣାଙ୍କ ଫାର୍ମ ପାଖ ଏକ ଖୋଲା ପଡ଼ିଆରୁ ଏକ ବିକୃତ ମୃତଦେହକୁ ଉଦ୍ଧାର କରିଥିଲା।
ପୋଲିସ ପାଇଁ ଅପରାଧୀଙ୍କୁ ଧରିବା ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଥିଲା । ଘଟଣାସ୍ଥଳ ଏବଂ ଆଖପାଖ ରାସ୍ତାରେ ଲାଗିଥିବା ୫୦ରୁ ଅଧିକ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଥିଲା । ସିସିଟିଭିରେ ଏକ ସନ୍ଦିଗ୍ଧ ଟେମ୍ପୋକୁ ଚିହ୍ନଟ କରାଯାଇଥିଲା । ଅନ୍ଧାର ରାତି ହୋଇଥିବାରୁ ଗାଡ଼ିର ନମ୍ବର ସ୍ପଷ୍ଟ ଦିଶିନଥିଲା । ପୋଲିସ୍ ବିଭିନ୍ନ କ୍ୟାମେରାରୁ ମିଳିଥିବା ଫୁଟେଜ୍କୁ ଏକାଠି କରି ଟେମ୍ପୋର ଗତିପଥ ଚିହ୍ନଟ କରିଥିଲା।
ସେପ୍ଟେମ୍ବର ୧୫ ତାରିଖ ରାତିରେ ଟେମ୍ପୋଟି ଖାଡ୍ଡା କଲୋନୀରେ ଠିଆ ହୋଇଥିବା ଅବସ୍ଥାରେ ମିଳିଥିଲା। ଏହା ପରେ ଗାଡ଼ିର ଚାଳକକୁ ଚିହ୍ନଟ କରି ଅଟକ ରଖାଯାଇଥିଲା । ପୋଲିସ ତିନିଜଣ ନାବାଳକଙ୍କ ସମେତ ମୋଟ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଜଣେ ନାବାଳିକାର ପ୍ରେମିକ ବୋଲି ସ୍ପଷ୍ଟ ହୋଇଛି ।
ପ୍ରେମିକ ଓ ତା’ର ସାଙ୍ଗେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଘଟଣା ପ୍ରଘଟ ହେବା ଆଶଙ୍କାରେ ଗଣଦୁଷ୍କର୍ମ ପରେ ତାକୁ ଛୁରୀ ଭୁଷି ହତ୍ୟା କରାଯାଇଥିଲା । ଏହା ପରେ କୁଶାକ୍ ରୋଡ୍ରେ ନାବାଳିକା ମୃତ ଦେହକୁ ଫୋପାଡ଼ି ଚାଲିଯାଇଥିଲେ ।
ସ୍ଥାନୀୟ ଲୋକେ ମୃତ ଦେହକୁ ଦେଖି ଖବର ଦେବା ପରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଁଚି ଶବକୁ ଜବତ କରିଥିଲେ । ଏହା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିଲା । ମୃତ ଦେହଟି ଜଣେ ଯୁବତୀଙ୍କର ବୋଲି ସନ୍ଦେହ କରାଯାଉଥିଲା । ବୁଲା କୁକୁର ମୃତ ଦେହକୁ କ୍ଷତବିକ୍ଷତ କରିଦେଇଥିବାରୁ ପ୍ରାରମ୍ଭିକ ପର୍ୟ୍ୟାୟରେ ପୋଲିସ୍ ପାଇଁ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଅସମ୍ଭବ ହୋଇପଡ଼ିଥିଲା । ଶବ ବ୍ୟବଚ୍ଛେଦ ସମୟରେ ମୃତଦେହଟି ଜଣେ ନାବାଳିକାର ବୋଲି ସ୍ପଷ୍ଟ ହୋଇଥିଲା ।