ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ତୃଣମୂଳ କଂଗ୍ରେସ ନାମ ଏବଂ ଚିହ୍ନ ଉପରେ କଟକଣା ଜାରି କରିବା ନିଷ୍ପତିକୁ ମମତା ବାନାର୍ଜୀ ପ୍ରବଳ ବିରୋଧ କରିଛନ୍ତି । ଇସିଆଇଙ୍କ ଟାଇମଲାଇନକୁ ଦେଖି ମମତା ବାନାର୍ଜୀ ରାତାରାତି ଦଳର ନୂତନ ଚିହ୍ନ ଓ ନାମ ପ୍ରସ୍ତାବ ଦାଖଲ କରିଛନ୍ତି ।
ସୂତ୍ର ଅନୁସାରେ, ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ମମତା ବାନାର୍ଜୀ ଗୁରୁବାର ବିଳମ୍ବିତ ରାତି ୧୧ ଟା ୩୬ ମିନିଟ୍ ସମୟରେ ଇସିଆଇଙ୍କ ନିକଟରେ ନିଜର ଜବାବ ଦାଖଲ କରିଛନ୍ତି । ଏହା ସହିତ ମମତା ନିଜ ଦଳର ନୂତନ ତିନୋଟି ନାମ ଏବଂ ଚିହ୍ନର ପ୍ରସ୍ତାବ ଦାଖଲ କରିଛନ୍ତି । ଖୁବ ଶୀଘ୍ର ଟିଏମସିର ନାମ ଓ ଚିହ୍ନ ପରିବର୍ତ୍ତନ ହୋଇପାରେ ।
ସେପଟେ ମମତାଙ୍କ ବିଦ୍ରୋୟୀ ଋତବ୍ରତ ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ନିଷ୍ପତିକୁ ସ୍ୱାଗତ କରି କହିଛନ୍ତି ଯେ ଆୟୋଗ ଚିହ୍ନ ଏବଂ ନାମ ଉପରେ କଟକଣା ଲଗାଇବାକୁ ଜରୁରୀ ଥିବା ଚିନ୍ତା କରି ଏଭଳି ପଦକ୍ଷେପ ନେଇଛନ୍ତି । ତାଙ୍କ ସପକ୍ଷରେ ଥିବା ଅରୂପ ବିଶ୍ୱାସ ଓ ଅକରୁଜ୍ଜମା ଆଜି ଦିଲ୍ଲୀରେ ଚନ୍ଦ୍ରିମାଙ୍କ ସହିତ ବୈଠକ କରି ଆୟୋଗଙ୍କ ଧାର୍ଯ୍ୟ ସମୟ ପୂର୍ବରୁ ନୂତନ ଚିହ୍ନ ଏବଂ ନାମ ପ୍ରସ୍ତାବ ଦାଖଲ କରିବେ ।
ଉଲ୍ଲେଖ ଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଟିଏମସି ଦୁଇ ଫାଳ ହୋଇଯାଇଛି । ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଅନେକ ବିଦ୍ରୋୟୀ ବିଧାୟକ ନିଜର ନୂତନ ବିରୋଧୀ ଦଳ ନେତା ଚୟନ କରିଥିଲେ । ଯାହାକୁ ପଶ୍ଚିମବଙ୍ଗ ବାଚସ୍ପତି ଗ୍ରହଣ କରିଥିଲେ । ଏହା ପରେ ଋତବ୍ରତଙ୍କ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଗୋଟିଏ ଦଳ ଦୁଇଟି ପକ୍ଷ ନେଇ ଆବେଦନ କରିଥିଲେ । ଏହା ପରେ ଗତକାଲି ନିର୍ବାଚନ ଆୟୋଗ ଟିଏମସିର ଚିହ୍ନ ଓ ନାମ ଉପରେ କଟକଣା ଲଗାଇ ଶୁକ୍ରବାର ସକାଳ ୧୧ଟା ସୁଦ୍ଧା ମମତା ଗୋଷ୍ଠୀ ଏବଂ ଋତବ୍ରତ ଗୋଷ୍ଠୀକୁ ସେମାନଙ୍କର ନୂତନ ନାଁ ଏବଂ ନିର୍ବାଚନ ଚିହ୍ନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ପକ୍ଷକୁ ୩ଟି ଲେଖାଏଁ ନୂତନ ବିକଳ୍ପ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ, ସେଥିମଧ୍ୟରୁ ଯେକୌଣସି ଗୋଟିଏ ବିକଳ୍ପକୁ ଆୟୋଗ ମଞ୍ଜୁର କରିପାରନ୍ତି।