ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (TMC)କୁ ନେଇ ରାଜନୈତିକ ହଟଚମଟ ଜାରି ରହିଛି। ଦଳର ଅଧିକାରକୁ ନେଇ ମମତା ବାନାର୍ଜୀ ଏବଂ ଋତବ୍ରତ ବାନାର୍ଜୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଘମାସାନ ଭିତରେ ଭାରତୀୟ ନିର୍ବାଚନ ଆୟୋଗ (EC) ଏକ ବଡ଼ ଏବଂ କଡ଼ା ନିଷ୍ପତ୍ତି ଶୁଣାଇଛନ୍ତି। ଆୟୋଗ ପକ୍ଷରୁ ଟିଏମସିର ମୂଳ ନାଁ ଏବଂ ନିର୍ବାଚନ ଚିହ୍ନକୁ ସାମୟିକ ଭାବେ ଫ୍ରିଜ୍ କରିଦିଆଯାଇଛି। ଆଗାମୀ ଉପନିର୍ବାଚନରେ ଉଭୟ ଗୋଷ୍ଠୀ ଏହି ପୁରୁଣା ଚିହ୍ନ ବ୍ୟବହାର କରିପାରିବେ ନାହିଁ।
ଦୁଇ ଗୋଷ୍ଠୀରୁ ୩ଟି ଲେଖାଏଁ ନୂଆ ବିକଳ୍ପ ମାଗିଲା EC
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତାକାଲି (ଶୁକ୍ରବାର) ସକାଳ ୧୧ଟା ସୁଦ୍ଧା ମମତା ଗୋଷ୍ଠୀ ଏବଂ ଡ଼ତବ୍ରତ ଗୋଷ୍ଠୀକୁ ସେମାନଙ୍କର ନୂତନ ନାଁ ଏବଂ ନିର୍ବାଚନ ଚିହ୍ନ ପ୍ରଦାନ କରିବାକୁ କୁହାଯାଇଛି। ଉଭୟ ପକ୍ଷକୁ ୩ଟି ଲେଖାଏଁ ନୂତନ ବିକଳ୍ପ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ, ସେଥିମଧ୍ୟରୁ ଯେକୌଣସି ଗୋଟିଏ ବିକଳ୍ପକୁ ଆୟୋଗ ମଞ୍ଜୁର କରିପାରନ୍ତି।
ଉଭୟ ପକ୍ଷର ମତାମତ ଶୁଣିଲା ନିର୍ବାଚନ ଆୟୋଗ
ଟିଏମସି ଉପରେ କାହାର ପ୍ରକୃତ ନିୟନ୍ତ୍ରଣ ରହିଛି, ସେନେଇ ଗୁରୁବାର ଦିନ ନିର୍ବାଚନ ଆୟୋଗ ଉଭୟ ମମତା ବାନାର୍ଜୀ ଏବଂ ଡ଼ତବ୍ରତ ବାନାର୍ଜୀ ଗୋଷ୍ଠୀର ସ୍ୱତନ୍ତ୍ର ଶୁଣାଣି କରିଥିଲେ।
ମମତା ଗୋଷ୍ଠୀ: ଏହି ଗୋଷ୍ଠୀ ପକ୍ଷରୁ ଡେରେକ୍ ଓ'ବ୍ରାଏନ୍, କଲ୍ୟାଣ ବାନାର୍ଜୀ, ମହୁଆ ମୋଇତ୍ରା ଏବଂ ସାଗରିକା ଘୋଷ ପ୍ରମୁଖ ଆୟୋଗଙ୍କୁ ଭେଟି କୌଣସି ପ୍ରକାରର ଆଦେଶ ଜାରି ନ କରିବାକୁ ଦାବି କରିଥିଲେ। ଏଭଳି ନିର୍ଦ୍ଦେଶର କୌଣସି ଆଧାର ନାହିଁ ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ।
ଋତବ୍ରତ ଗୋଷ୍ଠୀ: ବିଦ୍ରୋହୀ ଗୋଷ୍ଠୀର ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀ, ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଏବଂ ଅରୂପ ରୟ ପ୍ରମୁଖ ଆୟୋଗଙ୍କୁ ଭେଟିଥିଲେ। ଆଗାମୀ ଅକ୍ଟୋବର ୬ ତାରିଖରେ ନନ୍ଦିଗ୍ରାମ ଓ ରେଜିନଗରରେ ଉପନିର୍ବାଚନ ଥିବାରୁ ଏବଂ ଉଭୟ ପକ୍ଷରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିସାରିଥିବାରୁ ଶୀଘ୍ର ନିର୍ବାଚନ ଚିହ୍ନ ସମ୍ପର୍କରେ ସ୍ପଷ୍ଟ ନିଷ୍ପତ୍ତି ନେବାକୁ ସେମାନେ ଅନୁରୋଧ କରିଥିଲେ।