ନୂଆଦିଲ୍ଲୀ: ଚର୍ଚ୍ଚିତ ‘ନ୍ୟାସନାଲ ହେରାଲ୍ଡ’ ମାମଲାରେ କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦିଲ୍ଲୀ ହାଇକୋର୍ଟରେ ନିଜର ଲିଖିତ ଜବାବ ଦାଖଲ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ଦାଖଲ ହୋଇଥିବା ରିଭିଜନ୍ ଆବେଦନକୁ ଗାନ୍ଧୀ ପରିବାର ପକ୍ଷରୁ କଡ଼ା ବିରୋଧ କରାଯାଇଛି। ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ଆଇନର ଅପବ୍ୟବହାର ବୋଲି ସେମାନେ ଦର୍ଶାଇଛନ୍ତି।
ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଜବାବରେ ସୋନିଆ ଏବଂ ରାହୁଲ ଗାନ୍ଧୀ ଦର୍ଶାଇଛନ୍ତି ଯେ, ଏହା ଦେଶର ଏଭଳି ଏକମାତ୍ର ମାମଲା ଯାହା ଏକ ବ୍ୟକ୍ତିଗତ ଅଭିଯୋଗ ଆଧାରରେ ଆରମ୍ଭ ହୋଇଛି। ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କର ଏକ ବ୍ୟକ୍ତିଗତ ଅଭିଯୋଗକୁ ଆଧାର କରି ଏହି ମାମଲା ଚାଲିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଅନ୍ୟାନ୍ୟ ମାମଲାରେ ଇଡି ନିଜେ ଏହା ସ୍ୱୀକାର କରିଛି ଯେ ମନି ଲଣ୍ଡ୍ରିଂ ମାମଲା ପାଇଁ ମୂଳ ଅପରାଧ ଏବଂ ଏଫ୍ଆଇଆର୍ ରହିବା ନିତାନ୍ତ ଜରୁରୀ, ମାତ୍ର ଏହି ମାମଲାରେ ଇଡି ନିଜର ପୂର୍ବ ଆଭିମୁଖ୍ୟ ବଦଳାଇ ଭିନ୍ନ ମାର୍ଗ ଆପଣାଇଛି ବୋଲି ଗାନ୍ଧୀ ପରିବାର ପକ୍ଷରୁ କୁହାଯାଇଛି।
ଇଡିର ଆବେଦନ ଖାରଜ ପାଇଁ ଦାବି
ରାଉଜ୍ ଆବେନୁ କୋର୍ଟର ପୂର୍ବ ନିଷ୍ପତ୍ତିକୁ ସମର୍ଥନ କରି ଗାନ୍ଧୀ ପରିବାର ହାଇକୋର୍ଟରେ ଇଡିର ଆବେଦନକୁ ଖାରଜ କରିବାକୁ ଦାବି କରିଛନ୍ତି। ତଳକୋର୍ଟର ଆଦେଶରେ କୌଣସି ଆଇନଗତ ତ୍ରୁଟି ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଆଇନସଙ୍ଗତ ବୋଲି ସେମାନେ କହିଛନ୍ତି।