ଗାନ୍ଧୀନଗର: ୭୨ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଗୁଜୁରାଟର ଏକତା ନଗର (କେୱଡ଼ିଆ) ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟ କେୱଡ଼ିଆ ଏକତା ନଗରରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନଜନକ ଫିଲ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମ ଥର ପାଇଁ ଏହି ସମାରୋହ ନୂଆଦିଲ୍ଲୀ ବାହାରେ ଆୟୋଜନ କରାଯାଇଛି।
ଏହି ସମାରୋହରେ ୨୦୨୪ ମସିହାରେ ସେନ୍ସର ବୋର୍ଡ ଦ୍ୱାରା ପ୍ରମାଣିତ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକୁ ସମ୍ମାନିତ କରାଯାଇଛି। ଏହି ସମାରୋହରେ ବିଶିଷ୍ଟ କନ୍ନଡ଼ ଅଭିନେତା ଅନନ୍ତ ନାଗଙ୍କୁ ‘ଦାଦା ସାହେବ ଫାଲକେ’ ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ ସିନେମାରେ ନିଜର ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ସେ କନ୍ନଡ ସିନେମାର ଜଣେ ସମ୍ମାନିତ ବରିଷ୍ଠ ଅଭିନେତା । ନିଜ ଫିଲ୍ମ କ୍ୟାରିଅରରେ ସେ ତିନିଶହରୁ ଅଧିକ ସିନେମାରେ କାମ କରିସାରିଛନ୍ତି । କନ୍ନଡ଼ ବ୍ୟତୀତ ସେ ହିନ୍ଦୀ, ତେଲୁଗୁ, ତାମିଲ, ମରାଠୀ, ମାଲାୟଲମ୍ ଏବଂ ଇଂରାଜୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଏହା ବ୍ୟତୀତ, ଅନନ୍ତ ନାଗ ଟେଲିଭିଜନରେ ମଧ୍ୟ କାମ କରିଛନ୍ତି । ସେ ଲୋକପ୍ରିୟ ଦୂରଦର୍ଶନ ଧାରାବାହିକ 'ମାଲଗୁଡ଼ି ଡେଜ୍' (Malgudi Days) ରେ ମଧ୍ଯ କାମ କରିଥିଲେ ।
ସେହିପରି ଆର୍ଟିକିଲ ୩୭୦’କୁ ମିଳିଲା ଶ୍ରେଷ୍ଠ ଫିଚର୍ ଫିଲ୍ମ ପୁରସ୍କାର। ‘ଭଙ୍ଗାର’ ଶ୍ରେଷ୍ଠ ଅଣଫିଚର ଓ ‘ରାମ-ନାମୀ’ ଶ୍ରେଷ୍ଠ ପ୍ରାମାଣିକ ଫିଲ୍ମ ପୁରସ୍କାର ମିଳିଛି। ୟାମୀ ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, କାର୍ତ୍ତିକ୍ ଆର୍ଯ୍ୟନ୍ ଓ ମାମୁଟି ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ‘ସ୍ୱାତନ୍ତ୍ର୍ୟ ବୀର ସାଭରକର’ ଫିଲ୍ମ ପାଇଁ ରଣଦୀପ ହୁଡା ଶ୍ରେଷ୍ଠ ପଦାର୍ପଣକାରୀ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହୋଇଛନ୍ତି। ଏହି ବର୍ଷ ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ପୁରସ୍କାର ମିଳିଛି।