ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ରାତିରେ ତିନି ତିନୋଟି ବଡ଼ ଧରଣର ଚୋରି ହୋଇଛି । ଗଞ୍ଜାମ, ଯାଜପୁରୁ ଏବଂ ରାଉରକେଲାରେ ହୋଇଛି ଲୁଟ୍ । କେଉଁଠି ଗୁଳି ଫୁଟାଇ ସୁନା ବ୍ୟାଗ୍ ଛଡ଼ାଇ ନେଇଛନ୍ତି ତ କେଉଁଠି ମୁଖା ପିନ୍ଧା ଲୁଟେରା ସର୍ବସ୍ୱ ଲୁଟି ନେଇଛନ୍ତି । ଆଉ ସବୁଥିରେ ପୋଲିସ ହାତ ଖାଲି ରହିଛି । ଏହା ରାଜ୍ୟ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ଘରେ ପଶି ନେଇଗଲେ ସୁନା ଗହଣା ଓ ଟଙ୍କା
ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ରାଜପୁର ରୋଡ଼ରେ ଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ସାହୁଙ୍କ ଘରେ ଡକାୟତମାନେ ପଶିଥିଲେ । ଡକାୟତମାନେ ଆଲମିରାର ତାଲା ଭାଙ୍ଗି ପ୍ରାୟ ୩୦ ଭରି ସୁନା ଅଳଙ୍କାର ଓ ୫୦ ଭରି ରୂପା ଅଳଙ୍କାର ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ । ସେହିପରି ଆଲମିରାରେ ଥିବା ନଗଦ ୮ ଲକ୍ଷ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଏ ନେଇ ଭାସ୍କର ସାହୁଙ୍କ ପକ୍ଷରୁ ଦିଗପହଣ୍ଡି ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ତତସହିତ ବ୍ରହ୍ମପୁର ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ମଧ୍ୟ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଡକାୟତମାନଙ୍କୁ ଧରିବାକୁ ଚେଷ୍ଟା କରୁଛି ।
ଗହଣା ଦୋକାନୀଙ୍କ ଠାରୁ ଛଡ଼ାଇ ନେଲେ ଗହଣା ବ୍ୟାଗ୍
ସେହିପରି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ବନ୍ଧଢିହ ଗ୍ରାମର ବିଜୟ କୁମାର ସାହୁ ସଦର ଥାନା ଶିବା ଛକରେ ଏକ ଗହଣା ଦୋକାନ କରିଛନ୍ତି । ଗତକାଲି ରାତିରେ ଦୋକାନ ବନ୍ଦ କରି ହାତରେ ଗହଣା ବ୍ୟାଗ ଏବଂ ଟଙ୍କା ଧରି ନିଜ ପତ୍ନୀଙ୍କ ସହିତ ବାଇକରେ ଆସୁଥିଲେ । ତାଙ୍କ ବ୍ୟାଗରେ ୫ କିଲୋଗ୍ରାମ ରୁପା, ୧୫୦ ଗ୍ରାମ ସୁନା ଏବଂ ନଗଦ ୫୦ ହଜାର ଟଙ୍କା ଥିଲା । ଇନ୍ଦରାଇ-ବାଙ୍କସାହି ରାସ୍ତାରେ ଏକ ନିର୍ଜନ ସ୍ଥାନରେ ୪ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଥିଲେ । ଏହା ପରେ ଗୁଳି ଫୁଟାଇ ସେମାନଙ୍କଠାରୁ ଗହଣା ଭର୍ତ୍ତି ବ୍ୟାଗ୍ ଧରି ଚମ୍ପଟ୍ ମାରିଥିଲେ ।
ଏ ନେଇ ବିଜୟ ସାହୁ ସଦର ଥାନାକୁ ତୁରନ୍ତ ଜଣାଇଥିଲେ । ଲୁଟେରାମାନେ ହିନ୍ଦୀ ଭାଷାରେ କଥା ହେଉଥିବା ସେମାନେ କହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ଖୋକା ଜବତ କରିବା ସହିତ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ।
ରାଉରକେଲାରେ ମୁଖା ପିନ୍ଧା ଲୁଟେରା ଉତ୍ପାତ
ଗତ ରାତି ପ୍ରାୟ ୨ଟା ୩୦ ସମୟରେ ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ଶିଳ୍ପାଞ୍ଚଳରେ ଥିବା ଏକ ସୁନା ଉଦୟ ନାମକ ଗହଣା ଦୋକାନରେ ୫ରୁ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତମାନେ ପଶିଥିଲେ । ହାତରେ ଟର୍ଚ୍ଚ ଓ ଗ୍ଲୋବ୍ସ ମଧ୍ୟ ଥିଲା । ଦୋକାନରେ ଭଙ୍ଗାରୁଜା କରିବା ସହିତ ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ଏ ନେଇ ଦୋକାନୀ ଥାନାରେ ଅଭିଯୋଗ କରିଛନ୍ତି । ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି । ଲୁଟେରାଙ୍କୁ ଧରିବାକୁ ଗୋଟିଏ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି ।