ଭୁବନେଶ୍ବର : ରାଜ୍ୟରେ ଖୁବଶୀଘ୍ର ଲୋକାୟୁକ୍ତ ଗଠନ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ସୋମବାର ସନ୍ଧ୍ୟାରେ ଏଥିପାଇଁ ରାଜ୍ୟ ଅତିଥି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଚସ୍ପତି ସୁରମା ପାଢ଼ୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ବୈଠକରେ ଲୋକାୟୁକ୍ତ ଗଠନ ପ୍ରକ୍ରିୟାକୁ ନେଇ ଆଲୋଚନା ହୋଇଥିବା ବେଳେ ଖୁବଶୀଘ୍ର ରାଜ୍ୟରେ ଲୋକାୟୁକ୍ତ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଲୋକାୟୁକ୍ତ ଗଠନକୁ ନେଇ ଏବେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ବୈଠକରେ ଲୋକାୟୁକ୍ତ ଗଠନ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି ।
ବୈଠକ ଶେଷ ପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ଖୁବଶୀଘ୍ର ଲୋକାୟୁକ୍ତ ଗଠନ କରାଯିବ । ଏହା ଦ୍ୱାରା ଦୁର୍ନୀତି ସମ୍ପର୍କିତ ଅଭିଯୋଗର ତଦନ୍ତ ଓ ଜବାବଦେହିତା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାରେ ସହାୟତା ମିଳିବ ବୋଲି ଆଶା କରାଯାଉଛି । ବୈଠକରେ ସରକାରୀ ପକ୍ଷ ସହ ବିରୋଧୀ ଦଳର ନେତାଙ୍କ ଉପସ୍ଥିତି ମଧ୍ୟ ଏହି ପ୍ରସଙ୍ଗର ଗୁରୁତ୍ୱ ବଢାଇଛି ।
କହିରଖୁ ଯେ ଦୁର୍ନୀତି ବିରୋଧରେ ଲଢ଼େଇ ଏବଂ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଦିଗରେ ଲୋକାୟୁକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଅଟେ । ରାଜ୍ୟରେ ଲୋକାୟୁକ୍ତ ବ୍ୟବସ୍ଥାକୁ ଆହୁରି ସକ୍ରିୟ କରିବା ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏବେ ଖୁବଶୀଘ୍ର ଲୋକାୟୁକ୍ତ ଗଠନ ନେଇ ପରବର୍ତ୍ତୀ ପଦକ୍ଷେପ କେବେ ଆସିବ ସେ ଉପରେ ସମସ୍ତଙ୍କ ନଜର ରହିଛି ।