ଭୁବନେଶ୍ୱର: ଜବରଦଖଲ ଉଚ୍ଛେଦକୁ ନେଇ ଭୁବନେଶ୍ୱରର ନୀଳାଦ୍ରି ବିହାର ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା। ଟ୍ରାଞ୍ଜିଟ୍ ହାଉସ୍ ଭଙ୍ଗାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମୋଟ ୩୩୦ଟି ଟ୍ରାଞ୍ଜିଟ୍ ହାଉସ୍ ଭଙ୍ଗାଯିବାକୁ ଥିବାବେଳେ ଉଚ୍ଛେଦ ପ୍ରକ୍ରିୟା ସମୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।
ସୂଚନା ଅନୁସାରେ, ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଏହି ଟ୍ରାଞ୍ଜିଟ୍ ହାଉସ୍ଗୁଡ଼ିକରେ ଦୀର୍ଘଦିନ ଧରି ଅନେକ ପରିବାର ରହିଆସୁଥିଲେ। ତେବେ ଉଚ୍ଛେଦ ପୂର୍ବରୁ ସେମାନଙ୍କୁ ଥଇଥାନ କରିବାକୁ ଦାବି ହୋଇଛି। ଘର ଭାଙ୍ଗିବା ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରାଯାଉ ବୋଲି ଲୋକମାନେ ଦାବି କରିଛନ୍ତି।
ଅନ୍ୟପଟେ, ସରକାରଙ୍କ ପକ୍ଷରୁ ଟ୍ରାଞ୍ଜିଟ୍ ହାଉସ୍ରେ ରହୁଥିବା ଲୋକଙ୍କ ପାଇଁ ନିକଟସ୍ଥ ବୁଧବିହାର ଅଞ୍ଚଳର ହାଉସିଂ ପ୍ରୋଜେକ୍ଟରେ ଘର ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଘର ଆବଣ୍ଟନ ପରେ ମଧ୍ୟ କିଛି ଲୋକ ଟ୍ରାଞ୍ଜିଟ୍ ହାଉସ୍ ଖାଲି କରୁନଥିବା ଅଭିଯୋଗ ହୋଇଛି। ଏହାପରେ ବାଧ୍ୟ ହୋଇ BMC ଓ BDA ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।
ଚନ୍ଦ୍ରଶେଖରପୁର ଥାନା ପୁଲିସର ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। BMC ଓ BDAର ଅଧିକାରୀଙ୍କ ଉପସ୍ଥିତିରେ ଟ୍ରାଞ୍ଜିଟ୍ ହାଉସ୍ ଭଙ୍ଗା କାର୍ଯ୍ୟ ଜାରି ରହିଛି।
ଉଚ୍ଛେଦକୁ ନେଇ ଗୋଟିଏ ପଟେ ପ୍ରଶାସନର କଡ଼ା ଆଭିମୁଖ୍ୟ, ଅନ୍ୟପଟେ ଥଇଥାନ ଦାବି କରୁଥିବା ଲୋକଙ୍କ ଅସନ୍ତୋଷ, ଏହାକୁ ନେଇ ନୀଳାଦ୍ରି ବିହାର ଅଞ୍ଚଳରେ ତାତି ଦେଖିବାକୁ ମିଳିଛି ।