ନୂଆଦିଲ୍ଲୀ: ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତିକୁ ନେଇ ଏବେ ତୀବ୍ର ହୋଇଛି ଆଇନଗତ ଲଢ଼େଇ। DGP ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ ଉଠିଥିବାବେଳେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ରାଜି ହୋଇଛନ୍ତି। ଆସନ୍ତାକାଲି ଅଗଷ୍ଟ ୧୨, ବୁଧବାର ମାମଲାର ଶୁଣାଣି ହେବ।
ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏହି ମାମଲାକୁ ଆସନ୍ତାକାଲି ତାଲିକାଭୁକ୍ତ କରିବାକୁ ସମ୍ମତି ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ମାମଲାଟି ଉପସ୍ଥାପନ କରିଥିଲେ।
ଚିଦାମ୍ବରମ୍ ଅଭିଯୋଗ କରିଛନ୍ତି ଯେ, DGP ନିଯୁକ୍ତି ପାଇଁ ରାଜ୍ୟ ସରକାର ପୂର୍ବରୁ UPSCକୁ ପଠାଇଥିବା ପ୍ୟାନେଲକୁ ପ୍ରତ୍ୟାହାର କରିଛନ୍ତି। ଏବେ ନୂଆ ପ୍ୟାନେଲ୍ ପ୍ରସ୍ତୁତ କରାଯାଉଛି। ଏହି ନୂଆ ତାଲିକାରେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁନଥିବା ଜଣେ ADGPଙ୍କୁ ପ୍ରଥମେ DGP ପାହ୍ୟାକୁ ପଦୋନ୍ନତି ଦେଇ ତାଙ୍କ ନାମ UPSCକୁ ପଠାଇବାକୁ ଚେଷ୍ଟା ହେଉଥିବା ସେ ଦାବି କରିଛନ୍ତି।
ତାଙ୍କ ଅନୁସାରେ, ଏପ୍ରିଲରେ ରାଜ୍ୟ ସରକାର UPSCକୁ ଏକ ପ୍ୟାନେଲ୍ ପଠାଇଥିଲେ। ପରେ ତାହା ପ୍ରତ୍ୟାହାର ହୋଇଥିଲା। ମେ’ ମାସରେ ୩ ଜଣ DGP ଓ ୮ ଜଣ ADGPଙ୍କୁ ନେଇ ଆଉ ଏକ ପ୍ୟାନେଲ୍ ପଠାଯାଇଥିଲା। ଅଗଷ୍ଟ ୭ରେ UPSC କେବଳ DGP ପାହ୍ୟାର ଅଧିକାରୀଙ୍କୁ ବିଚାର କରାଯିବ ବୋଲି ସ୍ପଷ୍ଟ କରିଥିବା ଚିଦାମ୍ବରମ୍ କୋର୍ଟଙ୍କୁ ଜଣାଇଛନ୍ତି।
ଶୁଣାଣି ବେଳେ CJI ସୂର୍ଯ୍ୟକାନ୍ତ କହିଛନ୍ତି ଯେ, କେଉଁ ଅଧିକାରୀ ଯୋଗ୍ୟ ଏବଂ କାହାକୁ ବିଚାର କରାଯାଇପାରିବ, ସେନେଇ UPSC ଭଲ ଭାବରେ ଅବଗତ। ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ UPSC ପଦକ୍ଷେପ ନେବ ବୋଲି CJI ଆଶା ପ୍ରକାଶ କରିଛନ୍ତି। “ଆମେ ଆଶା କରୁଛୁ UPSC ଆମ ରାୟକୁ ପାଳନ କରିବ,” ବୋଲି CJI କହିଛନ୍ତି।
କ’ଣ କହେ ପ୍ରକାଶ ସିଂହ ମାମଲାର ରାୟ?
DGP ନିଯୁକ୍ତି ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ‘ପ୍ରକାଶ ସିଂହ ବନାମ ଭାରତ ସରକାର’ ମାମଲାର ନିର୍ଦ୍ଦେଶ ଗୁରୁତ୍ୱପୂର୍ଣ୍ଣ। ଏହି ରାୟ ଅନୁସାରେ ରାଜ୍ୟ ସରକାର ଯୋଗ୍ୟ ବରିଷ୍ଠ IPS ଅଧିକାରୀଙ୍କ ନାମ UPSCକୁ ପଠାଇଥାଏ। UPSC ଯୋଗ୍ୟତା ଓ ଅନ୍ୟ ମାନଦଣ୍ଡ ଆଧାରରେ ପ୍ୟାନେଲ୍ ପ୍ରସ୍ତୁତ କରେ ଏବଂ ସେହି ପ୍ୟାନେଲରୁ ରାଜ୍ୟ ସରକାର DGP ନିଯୁକ୍ତ କରିଥାଏ।
ଏହା ସହ DGPଙ୍କ ପାଇଁ ୨ ବର୍ଷର ନିଶ୍ଚିତ କାର୍ଯ୍ୟକାଳ ସମ୍ପର୍କିତ ନିର୍ଦ୍ଦେଶ ମଧ୍ୟ ରହିଛି। ପୁଲିସ ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ କମାଇବା, ପୁଲିସ ଅଧିକାରୀଙ୍କ ବଦଳି-ପୋଷ୍ଟିଂ ପାଇଁ Police Establishment Board ଏବଂ ଜନସାଧାରଣଙ୍କ ଅଭିଯୋଗ ପାଇଁ Police Complaints Authority ଗଠନ ଭଳି ନିର୍ଦ୍ଦେଶ ମଧ୍ୟ ଏହି ଐତିହାସିକ ମାମଲାରେ ଦିଆଯାଇଥିଲା।
ଖୁରାନିଆଙ୍କ ପରେ କିଏ?
ବର୍ତ୍ତମାନର ଓଡ଼ିଶା DGP ୱାଇ.ବି. ଖୁରାନିଆ ଅଗଷ୍ଟ ୩୧ରେ ଅବସର ନେବେ। ତାଙ୍କ ପ୍ରତିବଦଳରେ ରାଜ୍ୟ ସରକାର ପୂର୍ବରୁ UPSCକୁ ଅଧିକାରୀଙ୍କ ପ୍ୟାନେଲ୍ ପଠାଇଥିବାବେଳେ ଏହାକୁ ନେଇ ଏବେ ଆଇନଗତ ବିବାଦ ଦେଖାଦେଇଛି।
ଅଗଷ୍ଟ ୧୨ର ଶୁଣାଣିରେ ସୁପ୍ରିମକୋର୍ଟ କ’ଣ ନିର୍ଦ୍ଦେଶ ଦେବେ ଏବଂ ଓଡ଼ିଶାର ପରବର୍ତ୍ତୀ DGP ଚୟନ ପ୍ରକ୍ରିୟା କେଉଁ ଦିଗକୁ ଯିବ, ଏବେ ସମସ୍ତଙ୍କ ନଜର ସର୍ବୋଚ୍ଚ ଅଦାଲତଙ୍କ ଉପରେ।