ନୂଆଦିଲ୍ଲୀ: ଛାତ୍ର ଆନ୍ଦୋଳନକୁ ନେଇ ଆଜି ସଂସଦ ବାହାରେ ଦୁଇ ଦଳ ମୁହାଁମୁହିଁ ହୋଇଛନ୍ତି । ସଂସଦର ମକରଦ୍ୱାର ଫାଟକ ନିକଟରେ ସାମ୍ନାସାମ୍ନି ହୋଇଛନ୍ତି ଶାସକ ଓ ବିରୋଧୀ ଦଳ ସଦସ୍ୟ ।
ବିରୋଧୀ ଦଳ ନିଟ୍ ପେପର ଲିକ୍, ଆନ୍ଦୋଳନରତ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ରାମ ମନ୍ଦିର ଦାନର ଅପବ୍ୟବହାର ଭଳି ପ୍ରସଙ୍ଗ ଉଠାଇ ସଂସଦ ପରିସରରେ ଶୋଭାଯାତ୍ରା କରିଥିଲା । ସେହିପରି ସେପଟେ ଶାସକ ଦଳ ଝାଡ଼ଖଣ୍ଡରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜକୁ ନେଇ ବିରୋଧୀ ଦଳ ଉପରେ ଟାର୍ଗେଟ୍ କରିଥିଲା । ଏହାରି ମଧ୍ୟରେ ସଂସଦ ପରିସରରେ ଏକ ଅଦ୍ଭୁତ ଦୃଶ୍ୟ ଦେଖାଦେଇଥିଲା । ସଂସଦ ଭବନର ମୁଖ୍ୟ ଫାଟକ ମଧ୍ୟରୁ ଗୋଟିଏ ମକର ଦ୍ୱାର ବାହାରେ ଶାସକ ଏବଂ ବିରୋଧୀ ଉଭୟ ପକ୍ଷର ସାଂସଦମାନେ ପରସ୍ପର ବିରୋଧରେ ପ୍ରତିବାଦ ଏବଂ ସ୍ଲୋଗାନ ଦେଇଥିଲେ ।
ବିରୋଧୀ ଦଳ ଗୃହମନ୍ତ୍ରୀ ଅମିତ ଶାହ ଜନ୍ତରମନ୍ତରରେ ଆନ୍ଦୋଳନ ଛାତ୍ରମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସ୍ପଷ୍ଟୀକରଣ ଦାବି କରିଛି । ଏହା ସହିତ ଅଯୋଧ୍ୟା ରାମ ମନ୍ଦିର ଦାନ ଟଙ୍କା ଚୋରିର ଆଲୋଚନା ଦାବି କରିଥିଲା । ଯାହାକୁ ସାମ୍ନା କରିବାକୁ ସରକାର ପ୍ରସ୍ତୁତ ଥିବା ଗତକାଲି ସ୍ପଷ୍ଟ କରିଥିଲେ । ଆଜି ଜବାବରେ ଶାସକ ଦଳର ସାଂସଦମାନେ ପ୍ରତିବାଦ କରିଥିଲେ । ରାହୁଲ ଗାନ୍ଧୀ ବିତର୍କରୁ ଦୂରେଇ ଯିବାକୁ ଚେଷ୍ଟା କରୁଥିବା ଏନଡିଏ ସଦସ୍ୟମାନେ ଅଭିଯୋଗ କରିଥିଲେ । ସେହିପରି ଜନ୍ତରମନ୍ତର ପ୍ରତିବାଦରେ ରାହୁଲ ଗାନ୍ଧୀ ଏତେ ହୋହାଲ୍ଲା କରୁଥିବାବେଳେ ଝାଡ଼ଖଣ୍ଡରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ଉପରେ ପୋଲିସର ଲାଠିଚାର୍ଜ ପ୍ରସଙ୍ଗରେ କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।