ଭୁବନେଶ୍ୱର: ବର୍ଷା ସମୟରେ ବିଭିନ୍ନ ସହରାଞ୍ଚଳରେ ଦେଖାଯାଉଥିବା କୃତ୍ରିମ ବନ୍ୟାର ପରିଚାଳନା ପାଇଁ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅଧୀନରେ ଆର୍ଥିକ ରାଶି ଅନୁମୋଦନ କରିଛନ୍ତି । ଦୁଇଟି ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ୧୮ଟି ସହର ପାଇଁ ୫,୫୨୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (NDMF) ଅଧୀନରେ କେନ୍ଦ୍ର ସରକାର ସାତଟି ସହର ଯଥା ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଏବଂ ପୁଣେରେ ସହରାଞ୍ଚଳ ବନ୍ୟା ବିପଦ ପରିଚାଳନା କାର୍ଯ୍ୟକ୍ରମ (UFRMP)କୁ ମୋଟ ୩୦୭୫.୬୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ସେହିପରି ଭୋପାଳ, ଭୁବନେଶ୍ୱର, ଗୌହାଟି, ଜୟପୁର, କାନପୁର, ପାଟନା, ରାୟପୁର, ତ୍ରିଭେନ୍ଦ୍ରମ, ବିଶାଖାପାଟଣା, ଇନ୍ଦୋର ଏବଂ ଲକ୍ଷ୍ନୌ ଭଳି ୧୧ଟି ସହର ପାଇଁ ମୋଟ ୨୪୪୪.୪୨ କୋଟି ଟଙ୍କା ଆର୍ଥିକ ବ୍ୟୟରେ ମଞ୍ଜୁର କରାଯାଇଛି। ଯେଉଁଥିରେ ଭୁବନେଶ୍ୱର ପାଇଁ ୨୨୨.୨୨ କୋଟି ଟଙ୍କା ଅନ୍ତର୍ଭୁକ୍ତ ।
ୟୁଏଫଆରଏମପି ଅଧୀନରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ପ୍ରକଳ୍ପଗୁଡ଼ିକ ସମ୍ପୃକ୍ତ ରାଜ୍ୟ ସରକାରଗୁଡ଼ିକ ଦ୍ୱାରା କାର୍ଯ୍ୟକାରୀ କରାଯାଉଛି। ୟୁଏଫଆରଏମପି ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ବର୍ଷାଜଳ ପରିବହନରେ ଉଲ୍ଲେଖନୀୟ ଉନ୍ନତି ଆଣିବ, ବନ୍ୟା ଏବଂ ଜଳବନ୍ଦୀ ହ୍ରାସ କରିବ, ରାସ୍ତା ସଂଯୋଗୀକରଣ ବୃଦ୍ଧି କରିବ ଏବଂ ସହରଗୁଡ଼ିକରେ ଡ୍ରେନେଜ୍ ନେଟୱାର୍କର ସ୍ଥିରତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ପର୍ଯ୍ୟାପ୍ତ କାର୍ଯ୍ୟାନ୍ୱୟନ ପରେ ଫଳାଫଳର ଏକ ଚୂଡ଼ାନ୍ତ ସହରୱାରୀ ମୂଲ୍ୟାଙ୍କନ କରାଯାଇପାରିବ।
ୟୁଏଫଆରଏମପି ଅଧୀନରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ପ୍ରଗତି ସମୀକ୍ଷା କରିବା ଏବଂ ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ ସମାପ୍ତି ସୁନିଶ୍ଚିତ କରିବା ପାଇଁ, ଗୃହ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ରେ ସାମୟିକ ବୈଠକ ଅନୁଷ୍ଠିତ ହେଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।