ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)ରେ ବଡ଼ ପ୍ରଶାସନିକ ପରିବର୍ତ୍ତନ। ତିନିଜଣ ବରିଷ୍ଠ ଭାରତୀୟ ପୁଲିସ ସେବା (IPS) ଅଧିକାରୀଙ୍କୁ CBIର ଜଏଣ୍ଟ ଡାଇରେକ୍ଟର ଭାବେ ନିଯୁକ୍ତି ମିଳିଛି। ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବକୁ ଆପଏଣ୍ଟମେଣ୍ଟସ୍ କମିଟି ଅଫ୍ କ୍ୟାବିନେଟ୍ (ACC) ଅନୁମୋଦନ କରିଛି।
ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ୍ ଆଣ୍ଡ ଟ୍ରେନିଂ (DoPT) ପକ୍ଷରୁ ଜାରି ସରକାରୀ ଆଦେଶ ଅନୁସାରେ, ମହାରାଷ୍ଟ୍ର କ୍ୟାଡରର ୨୦୦୮ ବ୍ୟାଚ୍ର IPS ଅଧିକାରୀ ଅଖିଳେଶ କୁମାର ସିଂହଙ୍କୁ CBI ଜଏଣ୍ଟ ଡାଇରେକ୍ଟର ଭାବେ ନିଯୁକ୍ତ କରାଯାଇଛି। ସେ ସୁଧା ସିଂହଙ୍କ ସ୍ଥାନ ନେବେ।
ସେହିପରି ବିହାର କ୍ୟାଡରର ୨୦୦୮ ବ୍ୟାଚ୍ IPS ଅଧିକାରୀ ସତ୍ୟ ବୀର ସିଂହଙ୍କୁ ମଧ୍ୟ CBIର ଜଏଣ୍ଟ ଡାଇରେକ୍ଟର ଦାୟିତ୍ୱ ଦିଆଯାଇଛି। ସେ ଅଶ୍ୱିନ ଶେନଭିଙ୍କ ସ୍ଥାନରେ ଦାୟିତ୍ୱ ନେବେ।
ଅନ୍ୟପଟେ, ଝାଡ଼ଖଣ୍ଡ କ୍ୟାଡରର ୨୦୦୮ ବ୍ୟାଚ୍ IPS ଅଧିକାରୀ ଅନୀଶ ଗୁପ୍ତାଙ୍କୁ ମଧ୍ୟ CBI ଜଏଣ୍ଟ ଡାଇରେକ୍ଟର ଭାବେ ନିଯୁକ୍ତି ମିଳିଛି। ସେ ରାମନିଶ ଗୀରଙ୍କ ସ୍ଥାନ ନେବେ। ରାମନିଶ ଗୀରଙ୍କ ଅବସର ପରେ ଏହି ପଦ ଖାଲି ହୋଇଥିଲା।
ACCର ଅନୁମୋଦନ ପରେ ଏହି ତିନି ଅଧିକାରୀଙ୍କ ନିଯୁକ୍ତି ଲାଗୁ ହେବ। ନିଜ ନିଜ ପଦରେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ନିଯୁକ୍ତି କାର୍ଯ୍ୟକାରୀ ହେବ। ନିର୍ଦ୍ଧାରିତ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ଜାରି ହେବା ପର୍ଯ୍ୟନ୍ତ ସେମାନେ ଏହି ଦାୟିତ୍ୱରେ ରହିବେ। CBI ଭଳି ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥାରେ ତିନିଜଣ ଅଭିଜ୍ଞ IPS ଅଧିକାରୀଙ୍କ ନୂଆ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।