ନୂଆଦିଲ୍ଲୀ: ଜାତୀୟ ଗୀତ 'ବନ୍ଦେ ମାତରମ୍'କୁ ଅପମାନ କରିବା ଏବେ ଏକ ଫୌଜଦାରୀ ଅପରାଧ ଭାବରେ ବିବେଚନା କରାଯିବ । ସଂସଦର ଉଭୟ ଗୃହ ଦ୍ୱାରା ଅନୁମୋଦିତ 'ଜାତୀୟ ସମ୍ମାନର ଅପମାନ ନିବାରଣ (ସଂଶୋଧନ) ବିଲ୍, ୨୦୨୬'ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ମୋହର ମାରିଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଏହା ଆଇନରେ ପରିଣତ ହୋଇଛି ।
୨୪ ଜୁଲାଇରେ କେନ୍ଦ୍ର ସରକାର ଚଳିତ ମୌସୁମୀ ଅଧିବେଶନରେ ଏହି ବିଲକୁ ଆଗତ କରିଥିଲେ । ଜୁଲାଇ ୨୯ ରେ ରାଜ୍ୟସଭାରେ ଏବଂ ଜୁଲାଇ ୩୦ରେ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା । ଏବେ ରାଷ୍ଟ୍ରପତି ମଧ୍ୟ ତାଙ୍କ ଅନୁମୋଦନ ପ୍ରଦାନ କରିବା ପରେ, ବିଲ୍ ଟି ଆନୁଷ୍ଠାନିକ ଭାବରେ ଆଇନରେ ପରିଣତ ହୋଇଛି। ଏହି ଆଇନ କାର୍ଯ୍ୟକାରୀ ହେବା ସହିତ, ଉଦ୍ଦେଶ୍ୟମୂଳକ ଭାବରେ ଜାତୀୟ ଗୀତ 'ବନ୍ଦେ ମାତରମ୍' ଗାନକୁ ରୋକିବା କିମ୍ବା ଏହାକୁ ବାଧା ଦେବା ଏକ ଅପରାଧ ଭାବରେ ବିବେଚନା କରାଯିବ । ବର୍ତ୍ତମାନ ଜାତୀୟ ସଙ୍ଗୀତ 'ଜନ ଗଣ ମନ' ଦ୍ୱାରା ଉପଭୋଗ କରାଯାଉଥିବା ସମାନ ଆଇନଗତ ସୁରକ୍ଷା 'ବନ୍ଦେ ମାତରମ୍'କୁ ପ୍ରଦାନ କରେ। ବର୍ତ୍ତମାନ ଏହି ଆଇନ ଅଧୀନରେ ସମ୍ବିଧାନ, ଜାତୀୟ ପତାକା ଏବଂ ଜାତୀୟ ସଙ୍ଗୀତ ଭଳି ଜାତୀୟ ପ୍ରତୀକଗୁଡ଼ିକର ଅପମାନ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ଏହା ଲାଗୁ ହେବା ପରେ, 'ବନ୍ଦେ ମାତରମ୍' ଗାନ ସମୟରେ ଅନାଦର କରିବା, ବାଧା ପହଞ୍ଚାଇବା କିମ୍ବା ଗୋଳମାଳ କଲେ ସମାନ ଦଣ୍ଡ ଅର୍ଥାତ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍, ଜରିମାନା କିମ୍ବା ଉଭୟ ଭୋଗିବାକୁ ପଡ଼ିବ।
ଉଲ୍ଲେଖ ଯୋଗ୍ୟ, ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ଲାଲକିଲ୍ଲା ପ୍ରାଚୀରରୁ 'ବନ୍ଦେ ମାତରମ୍' ଗାନ କରାଯିବ।