ରାଉରକେଲା: RTO APK, e-Challan APK ଓ PM-Kisan Yojana APK ନାଁରେ ମାଲୱେର୍ ଫାଇଲ୍ ପଠାଇ ଲୋକଙ୍କ ବ୍ୟାଙ୍କ ଖାତା ଖାଲି କରୁଥିଲେ। ଓଡ଼ିଶା ଓ ଝାଡ଼ଖଣ୍ଡରେ ସକ୍ରିୟ ଥିବା ଏକ ଆନ୍ତଃରାଜ୍ୟ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ରାଉରକେଲା ପୋଲିସ୍। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ଦେଓଘର ଅଞ୍ଚଳର ବିକାଶ ମାଞ୍ଝି (୨୯), ପ୍ରଦୀପ କୁମାର (୨୪), ସୁରଜ କୁମାର (୨୪) ଓ ମନୀଷ ଯାଦବ (୨୬)। ସେମାନଙ୍କ ନିକଟରୁ ଏକ କାର୍, ୬ଟି ଦାମୀ ମୋବାଇଲ୍ ଫୋନ୍, ୫ଟି ATM କାର୍ଡ ଏବଂ ନଗଦ ୨୪,୯୦୦ ଟଙ୍କା ଜବତ କରାଯାଇଛି। ଏହାସହ ଠକେଇ ସହ ଜଡ଼ିତ ବିଭିନ୍ନ ବ୍ୟାଙ୍କ ଖାତାରେ ଥିବା ପ୍ରାୟ ୪୭ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଛି ପୋଲିସ୍।
ରାଉରକେଲା ଏସ୍ପି ନୀତେଶ ୱାଧୱାନୀଙ୍କ ସୂଚନା ଅନୁସାରେ, ଏକ ମ୍ୟୁଲ୍ ବ୍ୟାଙ୍କ ଖାତାରେ ସନ୍ଦେହଜନକ କାରବାର ସମ୍ପର୍କରେ ତଥ୍ୟ ମିଳିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏହି ତଦନ୍ତ ସମୟରେ ଅଗଷ୍ଟ ୬ ତାରିଖରେ ଉଦିତନଗର ପୋଲିସ୍ ଝାଡ଼ଖଣ୍ଡର ଗିରିଡିହ ଅଞ୍ଚଳର ଜ୍ୟୋତିଷ ପ୍ରସାଦ ବର୍ମାଙ୍କୁ ଗିରଫ କରିଥିଲା। ସେ ରାଉରକେଲାର ସିଟି ସୁପର ବଜାର ନିକଟରେ ରହି ମୋମୋ ବ୍ୟବସାୟ କରୁଥିବା ଜଣାପଡ଼ିଛି।
ପୋଲିସ୍ ଅନୁସାରେ, ଜ୍ୟୋତିଷଙ୍କ ବିରୋଧରେ ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ୩୧ଟି ଅପରାଧିକ ମାମଲା ରହିଛି। ସେ ପ୍ରାୟ ଏକ ବର୍ଷ ଧରି ଏହି ଆନ୍ତଃରାଜ୍ୟ ସାଇବର ଠକେଇ ନେଟୱର୍କ ସହ ଜଡ଼ିତ ଥିବା ତଦନ୍ତରୁ ଜଣାପଡ଼ିଛି।
ଗ୍ୟାଙ୍ଗର ସଦସ୍ୟମାନେ ମୋବାଇଲ୍ ମାଧ୍ୟମରେ RTO APK, e-Challan APK ଓ PM-Kisan Yojana APK ଫାଇଲ୍ ଲୋକଙ୍କୁ ପଠାଉଥିଲେ। ଲୋକମାନେ ଏହି ମାଲିସିଅସ୍ ଫାଇଲ୍ରେ କ୍ଲିକ୍ କରିବା ପରେ ସାଇବର ଠକମାନେ ସେମାନଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ରହିଛି। ଏପରି ମ୍ୟୁଲ୍ ଖାତା ମାଧ୍ୟମରେ ପ୍ରାୟ ୪୦ରୁ ୫୦ ଲକ୍ଷ ଟଙ୍କାର କାରବାର ହୋଇଥିବା ପୋଲିସ୍ ତଦନ୍ତରୁ ଜଣାପଡ଼ିଛି।
ଜ୍ୟୋତିଷଙ୍କ ଗିରଫ ପରେ ଉଦିତନଗର ପୋଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ଝାଡ଼ଖଣ୍ଡ ଯାଇ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଟ୍ରାକ୍ କରିଥିଲା। ଅଭିଯୁକ୍ତମାନଙ୍କ IP ଆଡ୍ରେସ୍ ଟ୍ରାକ୍ କରିବା ପରେ ସେମାନଙ୍କୁ ଧରାଯାଇ ରାଉରକେଲା ଅଣାଯାଇଛି। ଏହି ସାଇବର ଠକେଇ ନେଟୱର୍କରେ ଆଉ କେତେଜଣ ସାମିଲ ଅଛନ୍ତି ଏବଂ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ କେତେ ପରିମାଣର ଠକେଇ ହୋଇଛି, ସେନେଇ ପୋଲିସ୍ର ତଦନ୍ତ ଜାରି ରହିଛି।