ଖୋର୍ଦ୍ଧା: ଚିଲିକା ମଝିରେ ମତ୍ସ୍ୟଜୀବୀଙ୍କ ଉପରେ ଅତର୍କିତ ଆକ୍ରମଣ। ପ୍ରାୟ ୪୦ ଜଣ ଦୁର୍ବୃତ୍ତ ଅନ୍ୟ ଏକ ଡଙ୍ଗାରେ ଆସି ଆକ୍ରମଣ କରିବା ପରେ ଦୁଇ ଜଣ ମତ୍ସ୍ୟଜୀବୀ ଆହତ ହୋଇଥିବାବେଳେ, ଚିଲିକାର ଗଭୀର ପାଣିରେ ପଡ଼ି ନିଖୋଜ ହୋଇଥିବା ଜଣେ ନାବାଳକ ମତ୍ସ୍ୟଜୀବୀଙ୍କ ମୃତଦେହ ଦୀର୍ଘ ସମୟର ଖୋଜାଖୋଜି ପରେ ଉଦ୍ଧାର ହୋଇଛି।
ସୂଚନା ଅନୁସାରେ, ଚିଲିକା ଭିତରେ କିଛି ମତ୍ସ୍ୟଜୀବୀ ମାଛ ଧରୁଥିବା ସମୟରେ ଅନ୍ୟ ଏକ ଡଙ୍ଗାରେ ପ୍ରାୟ ୪୦ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। କୌଣସି କାରଣରୁ ସେମାନେ ମତ୍ସ୍ୟଜୀବୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିଲେ।
ଜୀବନ ବଞ୍ଚାଇବା ପାଇଁ ଆହତ ମତ୍ସ୍ୟଜୀବୀମାନେ ପହଁରି କୂଳକୁ ଆସିବାରେ ସଫଳ ହୋଇଥିଲେ। ତେବେ ଏହି ସମୟରେ ଜଣେ ନାବାଳକ ମତ୍ସ୍ୟଜୀବୀ ଚିଲିକାର ଗଭୀର ପାଣିରେ ପଡ଼ି ଯାଇଥିଲେ। ତାଙ୍କର କୌଣସି ପତ୍ତା ନମିଳିବାରୁ ଘଟଣା ସମ୍ପର୍କରେ ଆହତ ମତ୍ସ୍ୟଜୀବୀଙ୍କଠାରୁ ସୂଚନା ପାଇ ପୁଲିସ ଓ ପ୍ରଶାସନ ପକ୍ଷରୁ ତୁରନ୍ତ ଖୋଜାଖୋଜି ଆରମ୍ଭ କରାଯାଇଥିଲା।
ଚିଲିକା ମଝିରେ ଦୀର୍ଘ ସମୟ ଧରି ସନ୍ଧାନ ଚାଲିଥିଲେ ମଧ୍ୟ ପ୍ରଥମେ ନାବାଳକଙ୍କ କୌଣସି ସନ୍ଧାନ ମିଳିନଥିଲା। ଶେଷରେ ଚିଲିକା ପାଣିରେ ମୃତଦେହଟି ଭାସୁଥିବା ଦେଖିବାକୁ ମିଳିଥିଲା। ପରେ ମୃତଦେହକୁ ଚିହ୍ନଟ କରାଯାଇ ଉଦ୍ଧାର କରାଯାଇଛି।
ଖବର ପାଇ ପୁରୀ ସଦର ଏସ୍ଡିପିଓ ମାନସ ବାରିକ, କୃଷ୍ଣପ୍ରସାଦ ଥାନା ପୁଲିସ ଏବଂ ମାଲୁଦ ଅଗ୍ନିଶମ ବିଭାଗର ଟିମ୍ ଚିଲିକା ମଝିରେ ପହଞ୍ଚିଥିଲେ। ସେମାନଙ୍କ ଉପସ୍ଥିତିରେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଏହି ଘଟଣା ପରେ ଅଞ୍ଚଳରେ ଶୋକ ସହ ଉତ୍ତେଜନା ପ୍ରକାଶ ପାଇଛି। ମତ୍ସ୍ୟଜୀବୀଙ୍କ ଉପରେ ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ କିଏ ଏବଂ ଆକ୍ରମଣ ପଛରେ କାରଣ କ’ଣ, ସେନେଇ କୃଷ୍ଣପ୍ରସାଦ ପୁଲିସ ତଦନ୍ତ ଜାରି ରଖିଛି।