ସୁନ୍ଦରଗଡ଼: ଧାନ ବିଲରେ କାମ କରୁଥିବା ବେଳେ ବଜ୍ରପାତ ନେଲା ଦୁଇ ଜୀବନ। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ଅଞ୍ଚଳରେ ମଙ୍ଗଳବାର ବଜ୍ରପାତରେ ଦୁଇ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ମୃତକ ଦୁଇଜଣ ହେଲେ ଚମ୍ପା ତିର୍କୀ ଓ ସୁଶୀଳା ତିର୍କୀ। ଉଭୟେ ପଡ଼ୋଶୀ ଛତିଶଗଡ଼ର ବରାଡିହି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଟଲସରା ଥାନା ଅଧୀନ ବାଟିପଡ଼ା ଅଞ୍ଚଳର ଏକ ଧାନ ବିଲରେ ଚମ୍ପା, ସୁଶୀଳାଙ୍କ ସମେତ ଅନ୍ୟ ଶ୍ରମିକମାନେ ଧାନ ରୋଇବା କାମରେ ନିୟୋଜିତ ଥିଲେ। ଚାଷ କାମ ଚାଲିଥିବା ସମୟରେ ହଠାତ୍ ଅପରାହ୍ନରେ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା।
ଏହି ସମୟରେ ଅତ୍ୟନ୍ତ ତୀବ୍ର ବଜ୍ରପାତ ହେବାରୁ ଚମ୍ପା ଓ ସୁଶୀଳା ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ବଜ୍ରପାତର ପ୍ରଭାବରେ ବିଲରେ କାମ କରୁଥିବା ଆଉ ୨୦ରୁ ଅଧିକ ଶ୍ରମିକ ଆହତ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକ ଓ ସହଯୋଗୀ ଶ୍ରମିକମାନେ ଆହତଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଆହତମାନଙ୍କ ଚିକିତ୍ସା ଚାଲିଛି।
ଖରିଫ ଚାଷ ଋତୁରେ ଚାଷୀ ଓ ଶ୍ରମିକମାନେ ବିଲରେ କାମ କରୁଥିବା ବେଳେ ଏଭଳି ବଜ୍ରପାତ ଘଟଣା ଚିନ୍ତା ବଢ଼ାଇଛି। ଦୁଇ ମହିଳା ଶ୍ରମିକଙ୍କ ମୃତ୍ୟୁ ଖବର ପରେ ବାଟିପଡ଼ା ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।