ଭୁବନେଶ୍ୱର: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ଇନଫୋସିଟି ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ନିରଞ୍ଜନ ମଲ୍ଲିକକୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅଞ୍ଚଳରୁ ଗିରଫ କରାଯାଇଛି ।
ନାବାଳିକାଙ୍କ ପରିବାର ଅଭିଯୋଗ କରିଥିଲେ ଯେ ଗତ ଜୁଲାଇ ୨୨ରେ ନାବାଳିକ ଜଣଙ୍କ ଘରୁ ବାହାରି ଯାଇ ଆଉ ଘରକୁ ଫେରିନଥିଲେ। ସମ୍ପୃକ୍ତ ଯୁବକ ଜଣକ ତାଙ୍କ ୧୭ ବର୍ଷିୟା ଝିଅକୁ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲା । ପ୍ରଥମେ କଟକ ଓ ପରେ ଯାଜପୁରରେ ଏକ ଅଜ୍ଞାତ ସ୍ଥାନରେ ରଖିଥିଲା । ଏ ନେଇ ପରିବାର ପାଖରେ କୌଣସି ସୂଚନା ନ ଥିଲା । ପରିବାର ଲୋକେ ଝିଅକୁ ଉଦ୍ଧାର କରିବାକୁ ଇଫୋସିଟି ଥାନାରେ ଏତଲା ଦେଇଥିଲେ । କମିଶନରେଟ୍ ପୋଲିସ ବ୍ରହ୍ମବରଦା ଥାନା ପୋଲିସ ସହାୟତାରେ ନାବାଳିକାକୁ ଉଦ୍ଧାର କରିଥିଲା । ତତସହିତ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା ।
ଗିରଫ ପରେ ନିରଞ୍ଜନ କହିଛନ୍ତି ଯେ ନାବାଳିକା ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଉଭୟଙ୍କ ସହମତିରେ ସେମାନେ ସମ୍ପର୍କ ସ୍ଥାପନ କରିଛନ୍ତି । ତେବେ ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହିତ ସମ୍ପର୍କ ସ୍ଥାପନ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।