ବେଙ୍ଗାଲୁରୁ: ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ କର୍ଣ୍ଣାଟକ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଯେ କୌଣସି ପ୍ରକାରର ଗୁଟଖା ଏବଂ ତମାଖୁ କିମ୍ବା ନିକୋଟିନ୍ ମିଶ୍ରିତ ପାନ ମସଲା ବିକ୍ରି, ଉତ୍ପାଦନ ଓ ପରିବହନ ଉପରେ ଆସନ୍ତା ୧ ବର୍ଷ ପାଇଁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଜାରି କରାଯାଇଛି।
ରାଜ୍ୟର ଖାଦ୍ୟ ସୁରକ୍ଷା ଏବଂ ଡ୍ରଗ୍ସ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମ ଅନୁସାରେ, ବଜାରରେ ମିଳୁଥିବା ସମସ୍ତ ପ୍ରକାର ଗୁଟଖା ଓ ତମାଖୁଯୁକ୍ତ ପାନ ମସଲାର ନିର୍ମାଣ, ସଂରକ୍ଷଣ , ବିତରଣ ଏବଂ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି।
ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ, ୨୦୦୬ ର ଧାରା ୩୦(୨)(ଏ) ଏବଂ ସମ୍ପୃକ୍ତ ନିୟମବଳୀ ଅଧୀନରେ ଏହି କଡ଼ା ପଦକ୍ଷେପ ନିଆଯାଇଛି। କେବଳ ସେତିକି ନୁହେଁ, ଯଦି ତମାଖୁ କିମ୍ବା ନିକୋଟିନ୍ ଅଲଗା ଭାବରେ ବିକ୍ରୟ ହେଉଥାଏ ଏବଂ ଗ୍ରାହକମାନେ ଏହାକୁ ଅନ୍ୟ ଜିନିଷ ସହିତ ମିଶାଇ ବ୍ୟବହାର କରିବାର ସମ୍ଭାବନା ଥାଏ, ତେବେ ସେହି ସାମଗ୍ରୀଗୁଡ଼ିକ ମଧ୍ୟ ଏହି କଟକଣା ପରିସରଭୁକ୍ତ ହେବ।
ଯୁବପିଢ଼ିଙ୍କୁ ତମାଖୁ ସେବନର ମାରାତ୍ମକ କୁପ୍ରଭାବରୁ ରକ୍ଷା କରିବା ଏବଂ ଜନସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଏହି କଟକଣାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ କରିଛନ୍ତି। ଯଦି କେହି ଏହି ନିୟମକୁ ଅମାନ୍ୟ କରନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି।
Also Read: ଜମ୍ମୁ-କାଶ୍ମୀର: ରାଜୌରୀରେ କୁକୁରଙ୍କ ଆତଙ୍କ, ୨ ଦିନରେ ୯ ଜଣଙ୍କୁ ଆକ୍ରମଣ… ବନ୍ଦ ହେଲା ସ୍କୁଲ୍, ସିଆରପିଏଫ୍ ମୁତୟନ