ସାଲେପୁର: କଟକ ନିଶ୍ଚିତକୋଇଲି ଥାନା ଅଧିନସ୍ଥ ସୁକରପଡ଼ାରେ ଏକ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଯାଉଥିବାବେଳେ ପ୍ରାୟ ୬ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ମାମଲାର ତଦନ୍ତ କରାଯାଉଥିବା କଟକ ଗ୍ରାମାଞ୍ଚଳ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି । ଗତକାଲି ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଏକ କାରରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବାବେଳେ କଟକ-ଚାନ୍ଦବାଲି ରାସ୍ତା ସୁକରପଡ଼ା ନିକଟରେ କିଛି ଯୁବକ ତାଙ୍କ ଗାଡ଼ିକୁ ଅଟକାଇ ଥିଲେ । ଏହା ପରେ ତାଙ୍କ ପୁରୁଷ ବନ୍ଧୁଙ୍କୁ କାବୁ କରିବା ସହିତ ଯୁବତୀଙ୍କ ସହିତ ଅସଦାଚରଣ କରିଥିଲେ । ପୁରୁଷ ବନ୍ଧୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ମାରିଥିଲେ । ଏ ନେଇ ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଯାଇ ନିଶ୍ଚିତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ପୋଲିସ ଘଟଣାକୁ ଅତି ଗୁରୁତର ସହିତ ଗ୍ରହଣ କରିଛି । ଜଣେ ଅତିରିକ୍ତ ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଛି । ଯେଉଁଥିରେ ଜଣେ ମହିଳା ପୋଲିସ ମଧ୍ୟ ରହିଛନ୍ତି । ସାଲେପୁର ଏସଡିପିଓ ଓ ଗ୍ରାମାଞ୍ଚଳ ଏସପି ମାମଲାକୁ ଗମ୍ଭୀରତାର ସହିତ ନେଇ ପୀଡ଼ିତାଙ୍କ ସହିତ ଆଲୋଚନା କରିଛନ୍ତି । ସମ୍ପୃକ୍ତ ଯୁବତୀଙ୍କର ଡାକ୍ତରୀମାଇନା କରାଯାଇଥିବାବେଳେ ତାଙ୍କ ବନ୍ଧୁ ମଧ୍ୟ ଆହତ ହୋଇଛନ୍ତି । ଉଭୟଙ୍କ ବୟାନ ରେକର୍ଡ କରାଯାଇଛି । ଯୁବତୀ ଜଣକ କାହାକୁ ଚିହ୍ନି ନ ଥିବା କହିଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଛାନଭିନ କରୁଛି ।