ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବିରୋଧରେ ତଦନ୍ତ ରିପୋର୍ଟ ବୁଧବାର ରାଜ୍ୟସଭାରେ ଉପସ୍ଥାପନ କରାଯାଇଛି। ତାଙ୍କ ଘରୁ ବହୁ ପରିମାଣର ନଗଦ ଟଙ୍କା ମିଳିଥିଲା, ଯାହା ପରେ ମାମଲାର ଯାଞ୍ଚ ପାଇଁ ଏକ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା।
ଇଲାହାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗର ତଦନ୍ତ କରୁଥିବା କମିଟିର ରିପୋର୍ଟ ବୁଧବାର ରାଜ୍ୟସଭାରେ ଆଗତ କରାଯାଇଛି। ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନରୁ କୁହାଯାଉଥିବା ନଗଦ ଟଙ୍କା ଜବତ ମାମଲାରେ ତାଙ୍କୁ ପଦରୁ ହଟାଇବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ରାଜ୍ୟସଭାର ମହାନିର୍ଦ୍ଦେଶକ ପି.ସି. ମୋଦୀ ତଦନ୍ତ କମିଟିର ଦୁଇଟି ଖଣ୍ଡ ବିଶିଷ୍ଟ ରିପୋର୍ଟ ଗୃହ ସମକ୍ଷରେ ରଖିଛନ୍ତି। ଏହାସହିତ ତଦନ୍ତ ସମୟରେ ରେକର୍ଡ କରାଯାଇଥିବା ମୌଖିକ ଏବଂ ଦସ୍ତାବିଜୀ ପ୍ରମାଣ ମଧ୍ୟ ଦାଖଲ କରାଯାଇଛି।
ବାସ୍ତବରେ, ତିନି ଜଣିଆ ତଦନ୍ତ କମିଟି ମେ’ ମାସରେ ନିଜର ରିପୋର୍ଟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ହସ୍ତାନ୍ତର କରିଥିଲେ। ଓମ୍ ବିର୍ଲା ୧୨ ଅଗଷ୍ଟ ୨୦୨୫ରେ ଜଷ୍ଟିସ୍ ବର୍ମାଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରୁ ବହୁ ପରିମାଣର ନଗଦ ଟଙ୍କା ମିଳିବା ମାମଲାର ଯାଞ୍ଚ ପାଇଁ ଏହି କମିଟି ଗଠନ କରିଥିଲେ। ଲୋକସଭାର ବୁଧବାର କାର୍ଯ୍ୟସୂଚୀ ଅନୁଯାୟୀ, ନିମ୍ନ ଗୃହର ମହାନିର୍ଦ୍ଦେଶକ ମଧ୍ୟ ରିପୋର୍ଟର ଦୁଇଟିଯାକ ଖଣ୍ଡ ଏବଂ ମୌଖିକ ପ୍ରମାଣ ଗୃହ ସମକ୍ଷରେ ଉପସ୍ଥାପନ କରିବେ।
କ’ଣ ଥିଲା ଜଷ୍ଟିସ୍ ବର୍ମାଙ୍କ ମାମଲା?
ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରେ ୧୪ ମାର୍ଚ୍ଚ ୨୦୨୫ ରାତିରେ ନିଆଁ ଲାଗିଯାଇଥିଲା ଏବଂ ନିଆଁ ଲିଭାଇବାକୁ ପହଞ୍ଚିଥିବା ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ଏକ ଷ୍ଟୋର୍ ରୁମ୍ରୁ ବହୁ ପରିମାଣର ପୋଡ଼ିଯାଇଥିବା ନଗଦ ଟଙ୍କା ମିଳିଥିଲା। ଏହାପରେ ଜଷ୍ଟିସ୍ ବର୍ମା ଇସ୍ତଫା ଦେଇଥିଲେ ଏବଂ ତାଙ୍କୁ ପଦରୁ ହଟାଇବା ପ୍ରକ୍ରିୟା ପ୍ରାୟତଃ ନିଷ୍କ୍ରିୟ ହୋଇଯାଇଥିଲା। ତେବେ ତାଙ୍କ ଇସ୍ତଫାକୁ ଏପର୍ଯ୍ୟନ୍ତ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ନାହିଁ।
ଏହି ବିବାଦ ପରେ, ପୂର୍ବରୁ ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ବର୍ମାଙ୍କୁ ତାଙ୍କ ମୂଳ ଅଦାଲତ ଇଲାହାବାଦ ହାଇକୋର୍ଟକୁ ଫେରାଇ ଦିଆଯାଇଥିଲା। ତତ୍କାଳୀନ ପ୍ରଧାନ ବିଚାରପତି (CJI) ସଞ୍ଜୀବ ଖାନ୍ନାଙ୍କ ଦ୍ୱାରା ଗଠିତ ଆଭ୍ୟନ୍ତରୀଣ କମିଟି ନିଷ୍କର୍ଷ କାଢ଼ିଥିଲା ଯେ ଯେଉଁ ଷ୍ଟୋର୍ ରୁମ୍ରେ ନଗଦ ଟଙ୍କା ରଖାଯାଇଥିଲା, ସେହି ସ୍ଥାନ ଉପରେ ଜଷ୍ଟିସ୍ ବର୍ମାଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ନିୟନ୍ତ୍ରଣ ଥିଲା।
୨୦୦ରୁ ଅଧିକ ସାଂସଦ ମହାଭିଯୋଗ ପ୍ରସ୍ତାବରେ କରିଥିଲେ ସ୍ୱାକ୍ଷର
ଜୁଲାଇ ୨୦୨୫ରେ ୨୦୦ରୁ ଅଧିକ ସାଂସଦ ଜଷ୍ଟିସ୍ ବର୍ମାଙ୍କୁ ହଟାଇବା ପାଇଁ ମହାଭିଯୋଗ ଆଣିବା ପ୍ରସ୍ତାବରେ ସ୍ୱାକ୍ଷର କରିଥିଲେ। ଏହାପରେ ଅଗଷ୍ଟ ମାସରେ ଲୋକସଭା ବାଚସ୍ପତି ଅଭିଯୋଗର ଯାଞ୍ଚ ପାଇଁ ତିନି ଜଣିଆ ବିଚାରପତି ତଦନ୍ତ କମିଟି ଗଠନ କରିଥିଲେ। ତେବେ ସଂସଦ ଦ୍ୱାରା ପଦଚ୍ୟୁତ ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଜଷ୍ଟିସ୍ ବର୍ମା ଇଲାହାବାଦ ହାଇକୋର୍ଟର ବିଚାରପତି ପଦରୁ ଇସ୍ତଫା ଦେଇଥିଲେ, ଯାହାଫଳରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ପ୍ରଭାବହୀନ ହୋଇଯାଇଥିଲା।
ବିଚାରପତିଙ୍କୁ ହଟାଇବାର ପ୍ରକ୍ରିୟା କ’ଣ?
ସୁପ୍ରିମ୍ କୋର୍ଟ ଏବଂ ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି ଓ ପଦଚ୍ୟୁତ ପ୍ରକ୍ରିୟା ସହ ଜଡ଼ିତ ବିଶେଷଜ୍ଞଙ୍କ ଅନୁଯାୟୀ, ସୀର୍ଷ ଅଦାଲତଙ୍କ ଏକ ରାୟ ମୁତାବକ, ଯଦି କୌଣସି ବିଚାରପତି ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ହସ୍ତାନ୍ତର କରନ୍ତି ଏବଂ ତାହାର ନକଲ ସାର୍ବଜନୀନ ହୁଏ, ତେବେ ବିଚାରପତି ଇସ୍ତଫା ଦେଇଛନ୍ତି ବୋଲି ଧରାଯାଏ। ତେବେ ବିଚାରପତିଙ୍କ ଇସ୍ତଫା ରାଷ୍ଟ୍ରପତିଙ୍କ ସମ୍ମତି ଉପରେ ନିର୍ଭର କରେନାହିଁ, ବରଂ ନିୟମାନୁସାରେ ରାଷ୍ଟ୍ରପତି ଆନୁଷ୍ଠାନିକ ଭାବେ ଇସ୍ତଫା ଗ୍ରହଣ କରନ୍ତି, ଯାହା ପରେ ଆଇନ ମନ୍ତ୍ରଣାଳୟର ନ୍ୟାୟ ବିଭାଗ ଏହାର ବିଜ୍ଞପ୍ତି ଜାରି କରିଥାଏ।