ଭୁବନେଶ୍ୱର: ବିଦ୍ୟୁତ ବିଲ୍ରୁ ମୁକ୍ତି ପାଇବା ଦିଗରେ ଓଡ଼ିଶାରେ ବଢ଼ୁଛି ସୋଲାର ଚାହିଦା। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ରାଜ୍ୟରେ ଏପର୍ଯ୍ୟନ୍ତ ୧ ଲକ୍ଷ ୬୩ ହଜାର ୮୧୧ଟି ରୁଫଟପ୍ ସୋଲାର ସିଷ୍ଟମ୍ ସ୍ଥାପନ ହୋଇଛି। ଏଥିରୁ ୧ ଲକ୍ଷ ୬୪ ହଜାର ୯୦୩ଟି ପରିବାର ଉପକୃତ ହୋଇଛନ୍ତି। ବୁଧବାର ଲୋକସଭାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ନବୀକରଣୀୟ ଶକ୍ତି ଓ ବିଦ୍ୟୁତ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଏହି ତଥ୍ୟ ଦେଇଛନ୍ତି।
ଯୋଜନା ଆରମ୍ଭ ହେବା ପରଠାରୁ ଓଡ଼ିଶାରେ ମୋଟ ୩ ଲକ୍ଷ ୮ ହଜାର ୮୯୪ଟି ଆବେଦନ ମିଳିଛି। ସେଥିମଧ୍ୟରୁ ୧.୬୩ ଲକ୍ଷରୁ ଅଧିକ ଘରେ ସୋଲାର ପ୍ୟାନେଲ୍ ଲାଗିସାରିଛି। ଏହି ଯୋଜନା ଅଧୀନରେ ଅଗଷ୍ଟ ୭, ୨୦୨୬ ସୁଦ୍ଧା ଓଡ଼ିଶାକୁ କେନ୍ଦ୍ର ପକ୍ଷରୁ ୭୪୬.୬୭ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା (CFA) ମିଳିଛି।
ସୋଲାର ଲଗାଇବାରେ ଆଗରେ ବାଲେଶ୍ୱର
ଜିଲ୍ଲା ଅନୁସାରେ ଦେଖିଲେ ରୁଫଟପ୍ ସୋଲାର ସ୍ଥାପନରେ ବାଲେଶ୍ୱର ସବୁଠାରୁ ଆଗରେ ରହିଛି। ଜିଲ୍ଲାରେ ୧୫,୩୪୩ଟି ସୋଲାର ସିଷ୍ଟମ୍ ଲାଗିଛି। ଏହା ପଛକୁ ଗଞ୍ଜାମରେ ୧୩,୮୧୧, ଖୋର୍ଦ୍ଧାରେ ୧୩,୭୦୪ ଏବଂ କଟକରେ ୧୨,୬୨୪ଟି ସୋଲାର ସିଷ୍ଟମ୍ ସ୍ଥାପନ ହୋଇଛି। ସେହିପରି ମୟୂରଭଞ୍ଜରେ ୮,୯୬୧, ବରଗଡ଼ରେ ୮,୦୮୧, ଯାଜପୁରରେ ୭,୯୮୬ ଏବଂ ନୂଆପଡ଼ାରେ ୭,୬୮୯ଟି ସିଷ୍ଟମ୍ ଲାଗିଛି।
ଅନ୍ୟପକ୍ଷରେ, ସୋଲାର ସ୍ଥାପନରେ ସବୁଠାରୁ ପଛରେ ରହିଛି କନ୍ଧମାଳ। ଏଠାରେ ମାତ୍ର ୬୪୨ଟି ସୋଲାର ସିଷ୍ଟମ୍ ଲାଗିଛି। ମାଲକାନଗିରିରେ ୭୦୩, ଦେବଗଡ଼ରେ ୮୧୧ ଏବଂ କୋରାପୁଟରେ ୧,୧୪୮ଟି ସିଷ୍ଟମ୍ ସ୍ଥାପନ ହୋଇଛି।
୩୭ ହଜାରରୁ ଅଧିକଙ୍କ ବିଲ୍ ଶୂନ
ସବୁଠାରୁ ବଡ଼ ଖୁସିର କଥା ହେଉଛି, ରୁଫଟପ୍ ସୋଲାର ଲଗାଇବା ପରେ ଓଡ଼ିଶାର ୩୭,୬୭୮ରୁ ଅଧିକ ହିତାଧିକାରୀଙ୍କ ଅତି କମ୍ରେ ଗୋଟିଏ ମାସ କିମ୍ବା ବିଲିଂ ପିରିୟଡ୍ରେ ବିଦ୍ୟୁତ ବିଲ୍ ଶୂନ ହୋଇଛି।
ସାଧାରଣତଃ ୧ କିଲୋୱାଟ୍ର ରୁଫଟପ୍ ସୋଲାର ପ୍ଲାଣ୍ଟ ଗୋଟିଏ ସାଧାରଣ ଖରାଦିନରେ ପ୍ରାୟ ୩ରୁ ୪ ୟୁନିଟ୍ ବିଦ୍ୟୁତ ଉତ୍ପାଦନ କରିପାରେ। ତେବେ ପ୍ରକୃତ ସଞ୍ଚୟ ଉପଭୋକ୍ତାଙ୍କ ବିଦ୍ୟୁତ ବ୍ୟବହାର ଓ ସୋଲାର ପ୍ଲାଣ୍ଟର ଉତ୍ପାଦନ ଉପରେ ନିର୍ଭର କରିବ।
ଏହି ଯୋଜନାରେ ଉପଭୋକ୍ତାମାନେ ରିଆତି ସୁଧରେ କୋଲାଟେରାଲ୍-ଫ୍ରି ଲୋନ୍ ମଧ୍ୟ ପାଇପାରିବେ। ଏଥିସହ ହିତାଧିକାରୀଙ୍କ ସମସ୍ୟା ସମାଧାନ ପାଇଁ ୧୫୫୫୫ ହେଲ୍ପଲାଇନ୍ ଚାଲୁ ରହିଛି।