କୋଲକାତା: ଦେଶ ପାଇଁ ନିଜ ଜୀବନକୁ ବଳି ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ କୌଣସି ବି ଆପତ୍ତିଜନକ ମନ୍ତବ୍ୟ ଗ୍ରହଣୀୟ ନୁହେଁ । ସିଏ କେଉଁ ଦଳର ମଧ୍ୟ ହୋଇଥାଆନ୍ତୁ ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ । ଏହି ଆଭିମୁଖ୍ୟରେ ଶେଷରେ ନିଜ ଦଳର ସାଂସଦଙ୍କ ଠାରୁ ସମ୍ମାନ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ବିଜେପି ରାଜ୍ୟସଭା ସାଂସଦ ଅନନ୍ତ ମହାରାଜ ଓରଫ୍ ନାଗେନ୍ଦ୍ର ରାୟଙ୍କ ଠାରୁ “ବଙ୍ଗ ବିଭୂଷଣ” ପ୍ରତ୍ୟାହାର କରିବାକୁ ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ।
ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ବର୍ଷ ଫେବୃଆରୀ ମାସରେ ନାଗେନ୍ଦ୍ର ରାୟଙ୍କୁ “ବଙ୍ଗ ବିଭୂଷଣ” ସମ୍ମାନରେ ସମ୍ମାନୀତ କରିଥିଲେ । କିନ୍ତୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ସରକାର ମାମଲାକୁ ଗମ୍ଭୀରତାର ସହିତ ନେଇଛନ୍ତି । ତାଙ୍କଠାରୁ “ବଙ୍ଗ ବିଭୂଷଣ” ସମ୍ମାନ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ସରକାର ଏହା ସୂଚିତ କରିବାକୁ ଚେଷ୍ଟା କରିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମୀଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଗ୍ରହଣୀୟ ନୁହେଁ । ସମସ୍ତଙ୍କ ପାଇଁ ଆଇନ ସମାନ ବୋଲି ଶୁଭେନ୍ଦୁ ଅଧିକାରୀ ସ୍ପଷ୍ଟ କରିଦେଇଛନ୍ତି ।
ସାଂସଦ ନାଗେନ୍ଦ୍ର ରାୟ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସେ ଗାନ୍ଧୀଜୀ ଏବଂ ନେହେରୁଙ୍କ ଟାର୍ଗେଟ୍ କରିବା ସମୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ଆଜାଦ ହିନ୍ଦ ଫୌଜ ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ପ୍ରଶ୍ନ କରିଥିଲେ ନେତାଜୀଙ୍କ ବାପାଙ୍କ ପାଖରେ କୌଣସି ପଦବୀ ଥିଲା କି ? ନେତାଜୀ ସତରେ ଆଜାଦ ହିନ୍ଦ ଫୌଜ ଗଢ଼ିଥିଲେ କି ? ସମସ୍ତେ ବ୍ରିଟିଶ ସେନାର ଭାରତୀୟ ସୈନିକ ଥିଲେ । ଜର୍ମାନୀ ବ୍ରିଟିଶ ସୈନିକଙ୍କୁ ବନ୍ଦୀ କରି ପରେ ନେତାଜୀଙ୍କୁ ହସ୍ତାନ୍ତର କରିଥିଲା । ନେତାଜୀ ସେହି ସୁଯୋଗର ଭୁଲ ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ । ଏହି ଆଳରେ ନାଗେନ୍ଦ୍ର ରାୟ ବ୍ରିଟିଶ ଆଇନ ବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରିଥିଲେ । ବ୍ରିଟିଶ ଶାସନକାଳରେ ଆଇନ ବ୍ୟବସ୍ଥା କଡ଼ା ଥିଲା । ତଥାପି ଆଜାଦ ହିନ୍ଦ ଫୌଜ କାହିଁକି ବ୍ରିଟିଶ ବିପକ୍ଷରେ ହତିଆର ଉଠାଇଥିଲେ ଏବଂ ତାଙ୍କୁ ସେତେବେଳେ କାହିଁକି ମୃତ୍ୟୁଦଣ୍ଡ ଦିଆଯାଇନଥିଲା ବୋଲି ସେ ପ୍ରଶ୍ନ କରିଥିଲେ ।
ନାଗେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ପରେ ତାଙ୍କ ବିରୁଦ୍ଧରେ ଆକ୍ରୋଶ ବୃଦ୍ଧି ପାଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କ୍ଷୋଭ ପ୍ରକାଶ କରିଥିଲେ । ବଙ୍ଗ ମାଟିରେ ସ୍ୱାଧୀନତା ସଂଗ୍ରାମୀ ନେତାଜୀଙ୍କ ବିରୁଦ୍ଧରେ କୌଣସି ଆପତ୍ତିଜନକ ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି କହିଥିଲେ ଶୁଭେନ୍ଦୁ । ଏହା ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।
ସେପଟେ ପୋଲିସ ସ୍ପଷ୍ଟ କରିଛି ଯେ ନାଗେନ୍ଦ୍ରଙ୍କୁ ତାଙ୍କର ମନ୍ତବ୍ୟ ପାଇଁ ସାର୍ବଜନିକଭାବେ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିବ । ନିଜର ଭୁଲ ସ୍ୱୀକାର କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଉଚିତ ।