ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ଚାଳକଙ୍କ ବେପରୁଆ ମନୋଭାବ ଏବଂ ବିଶୃଙ୍ଖଳିତ ଆଚରଣ ଯୋଗୁଁ ଶତାଧିକ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ଫୁକେଟ୍-ଦିଲ୍ଲୀ ବିମାନ ଅଘଟଣ ପରେ ଏୟାର ଇଣ୍ଡିଆ ବିମାନ କମ୍ପାନୀର ନିଦ ଭାଙ୍ଗିଛି । ଏଣିକି ସମସ୍ତ ଚାଳକଙ୍କ ପାଇଁ ସମ୍ପୂର୍ଣ୍ଣ ଡୋପ୍ ଟେଷ୍ଟ ବା ନିଶା ସେବନ ପରୀକ୍ଷାକୁ ବାଧ୍ୟତା ମୂଳକ କରାଯାଇଛି । ଯାହା ଆଜିଠାରୁ ତତ୍କାଳ ପ୍ରଭାବ ସ୍ୱରୂପ କାର୍ଯ୍ୟକାରୀ ହୋଇଛି ।
ଡିଜିସିଏର ତାଗିଦ ପରେ ବିମାନ କମ୍ପାନୀ ପକ୍ଷରୁ ଆଜି ସମସ୍ତ କର୍ମଚାରୀଙ୍କ ପାଖକୁ ଏକ ବିଧିବଦ୍ଧ ପତ୍ର ଲେଖାଯାଇଛି । ଡିଜିସିଏର ନିର୍ଦ୍ଦେଶ ପାଳନ ପୂର୍ବକ ସମସ୍ତ ବିମାନ ଚାଳକଙ୍କ ଡୋପ୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ସମ୍ପୂର୍ଣ୍ଣ ଡୋପ୍ ଟେଷ୍ଟ ଦ୍ୱାରା ବିମାନ ଚାଳକ କୌଣସି ନିଶା ସେବନ କିମ୍ବା ନିଶା ଔଷଧ କରିଛନ୍ତି କି ନାହିଁ ତାହା ସୁନିଶ୍ଚିତ କରାଯିବ । ଏହି ନିୟମ ଆମେରିକା ଏବଂ ୟୁରୋପରେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରାଯାଏ । ତେଣୁ ସୁରକ୍ଷା ଦୃଷ୍ଟି କୋଣରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସ୍କ୍ରିନିଂ ପ୍ରକ୍ରିୟା ଗୁରୁଗ୍ରାମ ସ୍ଥିତ ଏକାଡେମୀ ସହିତ ଏୟାର ଇଣ୍ଡିଆର ଫ୍ଲାଇଟ୍ ବ୍ରିଫିଂ ସେଣ୍ଟର ଏବଂ କାର୍ଯ୍ୟାଳୟରେ କରାଯିବ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଯେ ଯାତ୍ରୀ, ଅଂଶୀଦାର ଏବଂ ସମାଜକୁ ଆଶ୍ୱସ୍ତ କରିବା ଯେ ଏୟାର ଇଣ୍ଡିଆ ସୁରକ୍ଷା ସହିତ କୌଣସି ସାଲିସ କରେ ନାହିଁ ବୋଲି କହିଛି କମ୍ପାନୀ ।
ଏୟାର ଇଣ୍ଡିଆ କହିଛି ଯେ କମ୍ପାନୀ ଦଶନ୍ଧି ଧରି ଭାରତୀୟ ବିମାନ ଚଳାଚଳର ଧ୍ୱଜାବାହକ ହୋଇଆସିଛି। ଯାତ୍ରା ସମୟରେ ପାଇଲଟ୍ ଏବଂ ଅନ୍ୟ କର୍ମଚାରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ବୃତ୍ତିଗତତା, ଦକ୍ଷତା ଏବଂ ସୁରକ୍ଷା ପ୍ରତି ପ୍ରତିବଦ୍ଧତା, ଲକ୍ଷ ଲକ୍ଷ ଯାତ୍ରୀ ଏବଂ ସାଧାରଣ ଲୋକଙ୍କ ବିଶ୍ୱାସ ଅର୍ଜନ କରିଛି । ଏହି ବିଶ୍ୱାସ ଆମର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି । ତେଣୁ ଏହାକୁ ସୁରକ୍ଷିତ ଏବଂ ବଜାୟ ରଖିବା ପାଇଁ ଯଥା ସମ୍ଭବ ପ୍ରୟାସ କରିବା ଅତ୍ୟନ୍ତ ଜରୁରୀ।
ଏଠାରେ ଉଲ୍ଲେଖ ଯୋଗ୍ୟ, ନିକଟରେ ଫୁକେଟରୁ ଦିଲ୍ଲା ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଅଚାନକ ଟର୍ବୁଲାନ୍ସ । ଉଚ୍ଚରେ ଉଡ଼ୁଥିବା ବିମାନ ହଠାତ୍ ତଳକୁ ଖସି ଆସିବାରୁ ବାୟୁ ଚାପ ସୃଷ୍ଟି ହୋଇଥିଲା । ଫଳରେ କିଛି ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ବିମାନ ଭିତରେ କିଛି ସ୍ଥାନରେ ଫାଟ ଦେଖିବାକୁ ମିଳିଥିଲା । ପ୍ରାଥମିକ ସ୍ତରରେ ଏହା ଖରାପ ପାଗ ଯୋଗୁଁ ହୋଇଥିବା ଅନୁମାନ କରାଯାଉଥିଲା । ମାତ୍ର ପରବର୍ତ୍ତୀ ସମୟରେ ପାଇଲଟ୍ ଜଣକ ମାରିଜୁଆନା ବା ବିଦେଶୀ ଗଞ୍ଜେଇ ସେବନ କରିଥିବା ଜଣାପଡ଼ିଥିଲା ।