କୁଜଙ୍ଗ : ଜୁଆ ଆଡ୍ଡା ଉପରେ ପୋଲିସର ଅତର୍କିତ ଚଢାଉ। ଚଢାଉ ବେଳେ ପୋଲିସ ଉପରେ ଆକ୍ରମଣ ହୋଇଥିବା ବେଳେ ୧୦ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ କୁଜଙ୍ଗ ଥାନା ବାଲିଆ ପଂଚାୟତପାନପଲୀ ଗାଁରେ ଗତକାଲି (ବୁଧବାର )ରାତି ପ୍ରାୟ ୮.୩୦ ପାଖାପାଖି ଏକ ଘରର ପ୍ରଥମ ମହଲାରେ "ତିନ୍ ପତ୍ତି" ଜୁଆ ଖେଳୁଥିବା ଖବର ପାଇ କୁଜଙ୍ଗ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ପୋଲିସ ଟିମ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଚଢାଉ କରିଥିଲା।
ପୋଲିସକୁ ଦେଖି ଅଭିଯୁକ୍ତମାନେ ପଳାଇବାକୁ ଚେଷ୍ଟା କରିଥିଲେ। ଏତିକି ନୁହେଁ, ସେମାନେ ପୋଲିସ ଉପରେ ଗାଳି ଗୁଲଜ କରିବା ସହ ହାତ ଓ ଗୋଡ଼ରେ ମାଡ଼ ମାରିଥିଲେ। ପୋଲିସ ଉପରକୁ ବାସନ ମଧ୍ୟ ଫିଙ୍ଗିଥିଲେ ଯେଉଁଥିରେ କିଛି ପୋଲିସ କର୍ମଚାରୀ ଆଘାତ ହୋଇଥିଲେ । ତଥାପି ପୋଲିସ ୧୦ ଜଣଙ୍କୁ କାବୁ କରି ଗିରଫ କରିଛି।
ଗିରଫ ଅଭିଯୁକ୍ତ ହେଲେ କଳଦୀପ, ମଲ୍ଲିପୁରା, ପାନପଲ୍ଲୀ ଏବଂ ତ୍ରିଲୋଚନପୁର ଗାଁର ସୁକାନ୍ତ କୁମାର ବେହେରା, ସ୍ମୃତି ରଞ୍ଜନ ବିଶ୍ୱାଳ, ଶିବବ୍ରତ ରାଉତ, ହୃଷିକେଶ ବେହେରା, ରାଜକିଶୋର ସ୍ୱାଇଁ, ବେଣୁଧର ପାଣି, ସାହାଦେବ ବେହେରା, ସୁଶାନ୍ତ ଦାସ, ସାଗର ଦାସ ଏବଂ ଜୁମର ବେହେରା। ଏମାନଙ୍କ ମଧ୍ୟରୁ ରାଜକିଶୋର ସ୍ୱାଇଁ ଏହି ଜୁଆ ଖେଳର ମୁଖ୍ୟ ଆୟୋଜକ ବୋଲି ଜଣାପଡିଛି।
ପୋଲିସ ସେଠାରୁ ନଗଦ ୮୪ ହଜାର ୯୩୦ ଟଙ୍କା , ୧୦ଟି ମୋବାଇଲ୍ ଫୋନ୍, ୩୦ ଡେକ୍ ଖେଳ ତାସ, ଗୋଟିଏ ଇଲେକ୍ଟ୍ରିକ୍ ସ୍କୁଟର, ୨ଟି ମୋଟର ସାଇକେଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ପ୍ରାୟ ୪-୫ ବର୍ଷ ଧରି ଏହି ଆଡ୍ଡା ଚାଲୁଥିଲା।
ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ମାମଲାର ତଦନ୍ତ ଜାରି ରହିଛି ।ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ତିର୍ତ୍ତୋଲ ଏସଡ଼ିପିଓ ଅଜୟ କୁମାର ଦାସ ସୂଚନା ଦେଇଛନ୍ତି ।