ପୁରୀ: ଶ୍ରୀକ୍ଷେତ୍ର ପୁରୀର ଆଧ୍ୟାତ୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇବା ସହ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଗୋବର୍ଦ୍ଧନ ପୀଠର ସୁରକ୍ଷା ଓ ବିକାଶ ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ଓଡ଼ିଶା ସରକାର। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି।
ଗୋବର୍ଦ୍ଧନ ପୀଠର ଜମିଜମା ସମ୍ପର୍କିତ ପୁରୁଣା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଐତିହାସିକ ଜମି ବନ୍ଦୋବସ୍ତ ରେକର୍ଡର ପୁନଃ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସୁରକ୍ଷା ଏବଂ ପୀଠ ପରିସରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ।
ପୂର୍ବତନ ଆଚାର୍ଯ୍ୟମାନଙ୍କ ସମାଧିସ୍ଥଳର ସୁରକ୍ଷା ଓ ସଂରକ୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ଏଥିସହ ଶ୍ରୀ ଗୋବର୍ଦ୍ଧନ ଗୋଶାଳାର ସୁଚାରୁ ପରିଚାଳନା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ନେଇ ମଧ୍ୟ ଆଲୋଚନା ହୋଇଛି।
ବୈଠକରେ ସ୍ୱର୍ଗଦ୍ୱାର ସମ୍ମୁଖ ସମୁଦ୍ରକୂଳରେ ହେଉଥିବା ଦୈନିକ ସନ୍ଧ୍ୟା ମହୋଦଧି ଆଳତୀକୁ ଆହୁରି ଭବ୍ୟ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଆଳତୀ ସ୍ଥଳର ସୌନ୍ଦର୍ଯ୍ୟୀକରଣ ସହ ବଡ଼ ଆକାରରେ ସନ୍ଧ୍ୟା ଆଳତୀ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ପୁରୀର ସମଗ୍ର ସମୁଦ୍ରକୂଳକୁ ଏକ ‘ଆଧ୍ୟାତ୍ମିକ ଶୋର୍ଲାଇନ୍’ ଭାବେ ବିକଶିତ କରିବା ଉପରେ ମଧ୍ୟ ଯୋଜନା ହୋଇଛି। ଏହା ଦ୍ୱାରା ଶ୍ରୀକ୍ଷେତ୍ରର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ଆହୁରି ବଢ଼ିବା ସହ ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ନୂଆ ଆକର୍ଷଣ ସୃଷ୍ଟି ହେବ।
ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗୋବର୍ଦ୍ଧନ ପୀଠର ସାଧୁସନ୍ଥ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।