ୱାଶିଂଟନ: ୨୦୨୬ ସେପ୍ଟେମ୍ବର ଶେଷ ସୁଦ୍ଧା ଇରାକରୁ ଆମେରିକା ତାର ସମସ୍ତ ସୈନ୍ୟ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ହେଉଛି। ଇରାକୀ ପ୍ରଧାନମନ୍ତ୍ରୀ ଅଲ-ଜୈଦିଙ୍କ କାର୍ଯ୍ୟାଳୟ ଏହାକୁ ନିଶ୍ଚିତ କରିଛି। ଜୈଦି ବୁଧବାର ଦିନ ଆମେରିକାର କେନ୍ଦ୍ରୀୟ କମାଣ୍ଡର ମୁଖ୍ୟ ଆଡମିରାଲ ବ୍ରାଡ କୁପରଙ୍କୁ ଭେଟିଛନ୍ତି। ଏହା ଇରାକରେ ୨୩ ବର୍ଷର ଆମେରିକୀୟ ସୈନ୍ୟ ଉପସ୍ଥିତିର ଶେଷ ହେବ, ଯାହା ୨୦୦୩ ମସିହାରେ ସଦାଦାମ ହୁସେନଙ୍କ ବିରୁଦ୍ଧରେ ଆକ୍ରମଣ ସହିତ ଆରମ୍ଭ ହୋଇଥିଲା। ଏହି ପ୍ରତ୍ୟାହାର ଏପରି ସମୟରେ ହୋଇଛି ଯେତେବେଳେ ଇରାନ ସହିତ ଉତ୍ତେଜନା ଅଧିକ ରହିଛି ଏବଂ ଏପର୍ଯ୍ୟନ୍ତ ଯୁଦ୍ଧବିରତି ହୋଇପାରି ନାହିଁ।
ଆଡମିରାଲ କୁପରଙ୍କ ସହ ବୈଠକ ପରେ, ପ୍ରଧାନମନ୍ତ୍ରୀ ଅଲ-ଜୈଦିଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି, ଇରାକରେ ଇସଲାମିକ୍ ଷ୍ଟେଟ୍ବି ରୁଦ୍ଧରେ ଆମେରିକା ନେତୃତ୍ୱାଧୀନ ମେଣ୍ଟର ସାମରିକ ମିଶନକୁ ସମାପ୍ତ କରିବା ଏବଂ ସୈନ୍ୟ ପ୍ରତ୍ୟାହାର ସମାପ୍ତ କରିବା ପାଇଁ ସେପ୍ଟେମ୍ବର ୩୦ ତାରିଖକୁ ସମୟସୀମା ଭାବରେ ସ୍ଥିର କରାଯାଇଛି। ଏଥିରେ ଆହୁରି କୁହାଯାଇଛି, "ଅକ୍ଟୋବର ୧ ତାରିଖ ଇରାକର ଯାତ୍ରାରେ ଏକ ନୂତନ ଦିନ ହେବ, କାରଣ ଇରାକ କୌଣସି ବିଦେଶୀ ସାମରିକ ଉପସ୍ଥିତିରୁ ମୁକ୍ତ ହେବ।
ଗତ ବର୍ଷ ଇରାକର ଅଧିକାଂଶ ଅଞ୍ଚଳରେ ଥିବା ଆମେରିକାର ସେନା ନିଜର ଘାଟି ଖାଲି କରିଦେଇଥିଲା, କିନ୍ତୁ ଅର୍ଦ୍ଧ-ସ୍ୱାୟତ୍ତ ଉତ୍ତର କୁର୍ଦିଶ ଅଞ୍ଚଳରେ ନିଜର ଉପସ୍ଥିତି ବଜାୟ ରଖିଥିଲା। ଫେବ୍ରୁଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଏହି ଅଞ୍ଚଳରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ନିରନ୍ତର ଆକ୍ରମଣର ଶିକାର ହୋଇଆସୁଛି। ଇରାକୀ କୁର୍ଦିଶ ଅଧିକାରୀମାନେ କହିଛନ୍ତି ଯେ ଏରବିଲରୁ ଆମେରିକୀୟ ସୈନ୍ୟ ଏବଂ ସାମରିକ ଉପକରଣ ଅପସାରଣ ପ୍ରାୟ ତିନି ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥିଲା।
ଜଣେ ଆମେରିକୀୟ ଅଧିକାରୀ ଆସୋସିଏଟେଡ୍ ପ୍ରେସକୁ ନିଶ୍ଚିତ କରିଛନ୍ତି ଯେ ଆମେରିକା ସେପ୍ଟେମ୍ବର ୩୦ ସୁଦ୍ଧା ତାର ସୈନ୍ୟ ପ୍ରତ୍ୟାହାର ସମାପ୍ତ କରିବାକୁ ଆଶା କରୁଛି, କିନ୍ତୁ ଇରାକରେ କେତେ ସୈନ୍ୟ ରହିବେ କିମ୍ବା ସେମାନଙ୍କୁ କେଉଁଠାରେ ନିୟୋଜିତ କରାଯିବ ତାହା ସ୍ପଷ୍ଟ କରିବାକୁ ମନା କରିଦେଇଛି। ୨୦୨୪ ସୁଦ୍ଧା ଇସଲାମିକ୍ ଷ୍ଟେଟ୍ ବିରୁଦ୍ଧରେ ଆମେରିକା ନେତୃତ୍ୱରେ ଛୋଟ ସାମରିକ ଅଭିଯାନକୁ ଧୀରେଧୀରେ ହ୍ରାସ କରିବାକୁ ଆମେରିକା ଏବଂ ଇରାକ ରାଜି ହୋଇଥିଲେ।
ଅଧିକ ପଢ଼ନ୍ତୁ: ମହିଳାଙ୍କୁ ୧୦ ଥର ଛୁରି ଭୁସି ହତ୍ୟା, ତା'ପରେ କୋଠରୀରେ ବନ୍ଦ