ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଛାତ୍ର ଆନ୍ଦୋଳନ ଏବଂ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ବିରୋଧୀଙ୍କ ଗୋଟି ଗୋଟି ପ୍ରଶ୍ନର ସମସ୍ତ ଉତ୍ତର ଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହୋଇଛନ୍ତି । ଏ ନେଇ ବାଣିଜ୍ୟ ପରାମର୍ଶଦାତା କମିଟି (BAC) ବୈଠକରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୋମବାର ଅବଗତ କରାଇଛନ୍ତି ।
ନିଟ୍ ପେପର୍ ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ବିକ୍ଷୋଭକୁ ନେଇ ବିରୋଧୀ ଦଳ ମୌସୁମୀ ଅଧିବେଶନକୁ ଅଚଳ କରିଦେଇଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପରେ ମଧ୍ୟ ଗୃହରେ ଲଗାତର ହଙ୍ଗାମା ଜାରି ରହିଛି । କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଇଣ୍ଡି ମେଣ୍ଟ ଅଡ଼ି ବସିଛି । ତେବେ ଏ ସମ୍ପର୍କରେ ଗୃହ ମନ୍ତ୍ରୀ ବିସ୍ତୃତ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଥିବା ରିଜିଜୁ କହିଛନ୍ତି । ଆଲୋଚନା ସମୟରେ କୌଣସି ସଦସ୍ୟ ହୋହାଲ୍ଲା ନ କରିବାକୁ କେନ୍ଦ୍ର ମନ୍ତ୍ରୀ ଅନୁରୋଧ କରିଛନ୍ତି । ସରକାର ସମସ୍ତ ପ୍ରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ସମସ୍ତ ବିପକ୍ଷ ସଦସ୍ୟଙ୍କୁ ମଧ୍ୟ ନିଜର ମତ ରଖିବାକୁ ସୁଯୋଗ ମିଳିବ । ଛାତ୍ରଙ୍କ ପ୍ରସଙ୍ଗ ଏକ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଗମ୍ଭୀରତାର ସହିତ ଆଲୋଚନା ହେବ । ତେଣୁ ଗୃହରେ ଶାନ୍ତି ବଜାୟ ରଖିବାକୁ ରିଜିଜୁ ଅନୁରୋଧ କରିଛନ୍ତି ।
ସେପଟେ ବିରୋଧୀ ଛାତ୍ର ପ୍ରସଙ୍ଗ ସହିତ ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ପ୍ରସଙ୍ଗରେ ମଧ୍ୟ ଆଲୋଚନା ପାଇଁ ଦାବି କରିଛନ୍ତି ।