ମୁମ୍ବାଇ: ପୂର୍ବତନ ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମହାରାଷ୍ଟ୍ର ନାନ୍ଦେଡ଼ଠାରେ ଏକ ଗୁରୁଦ୍ୱାର ନିକଟରେ ଆକ୍ରମଣ କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ନାନ୍ଦେଡ଼ର ମାତା ସାହିବ କୌର ଅଞ୍ଚଳରେ ଥିବା ଏକ ଗୁରୁଦ୍ୱାରକୁ ସୁଖବୀର ସିଂ ବାଦଲ ଯାଇଥିବାବେଳେ ଜଣେ ଅଜଣା ବ୍ୟକ୍ତି କୃପାଣ (ପଞ୍ଜାବୀ ମାନେ ଅଣ୍ଟାରେ ରଖୁଥିବା ଖଣ୍ଡା)ରେ ତାଙ୍କୁ ଆକ୍ରମଣ କରିଥିଲେ। ସୁଖବୀରଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ।
ନାନ୍ଦେଡ଼ ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ ସୁଖବୀର ବ୍ୟକ୍ତିଗତ କାମରେ ଗୁରୁଦ୍ୱାର ଆସିଥିଲେ । ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯାଇଥିଲା । ଏହି ସମୟରେ ଜଣେ ବ୍ୟକ୍ତି ଅଚାନକ ଗୁରୁଦ୍ୱାର ଭିତରକୁ ପଶି ଆସି ତାଙ୍କୁ ଆକ୍ରମଣ କରିଥିଲେ । ସୁରକ୍ଷାରେ ନିଯୁକ୍ତ ଜଣେ ପୋଲିସ ଅଧିକାରୀ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଘଟଣା ପରେ ସୁଖବୀରଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଆକ୍ରମଣର କାରଣ ଜଣାପଡ଼ି ନାହିଁ ।
ଉଲ୍ଲେଖ ଯୋଗ୍ୟ, ସୁଖବୀରଙ୍କ ଉପରେ ଆକ୍ରମଣ ଘଟଣା ଏହା ପ୍ରଥମ ଥର ନୁହେଁ । ୪ ଡିସେମ୍ବର, ୨୦୨୪ରେ ପଞ୍ଜାବ ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ବାହାରେ ମଧ୍ୟ ପ୍ରାଣ ଘାତକ ଆକ୍ରମଣ ହୋଇଥିଲା । ସୁଖବୀରଙ୍କ ଉପରକୁ ଅଚାନକ ଜଣେ ବ୍ୟକ୍ତି ଗୁଳି କରିଥିଲେ । ଯେଉଁଥିରେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ ।