ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଗିରଫ ହୋଇଥିବା ବଙ୍ଗଳା ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟ୍ କିପର୍-ବ୍ୟାଟର ଅଭିଷେକ ପୋରେଲଙ୍କ ଅଡ଼ୁଆ ଆହୁରି ବଢ଼ିଯାଇଛି। ଚିନସୁରା କୋର୍ଟ ତାଙ୍କୁ ୧୪ ଦିନିଆ ବିଭାଗୀୟ ହାଜତ ପଠାଇ ଦେଇଛନ୍ତି। କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଏହି କାରାବାସ ଦଣ୍ଡାଦେଶ ହୋଇଛି।
ଏକ ମେଡିକାଲ୍ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ହୁଗୁଳି ଜିଲ୍ଲାର ମୋଗରା ପୋଲିସ ଅଭିଷେକ ପୋରେଲଙ୍କୁ ଗିରଫ କରିଥିଲା। ଅଭିଯୋଗ ଅନୁଯାୟୀ, ଅଭିଷେକ ବିବାହର ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ସେଗୁଡ଼ିକୁ ରେକର୍ଡ କରି ରଖିଥିଲେ। ଗତ ଅଗଷ୍ଟ ୧୧ ତାରିଖରେ ପୋଲିସ ତାଙ୍କୁ ଗିରଫ କରି ପ୍ରଥମେ ୩ ଦିନିଆ ପୋଲିସ ରିମାଣ୍ଡରେ ଆଣିଥିଲା। ରିମାଣ୍ଡ ଅବଧି ସୋମବାର ସୋମବାର ସରିବା ପରେ କୋର୍ଟରେ ହାଜର କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଅଭିଷେକ ଏବଂ ଅଭିଯୋଗକାରିଣୀ ଛାତ୍ରୀଜଣକ ଗତ ୩ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ। ଉଭୟ ବିଦେଶ ଗସ୍ତ ମଧ୍ୟ କରିଥିଲେ ଏବଂ ବିବାହ ପାଇଁ ମଧ୍ୟ ଯୋଜନା କରିଥିଲେ। ତେବେ ପ୍ରାୟ ୧୮ ମାସ ପୂର୍ବରୁ ସେମାନଙ୍କ ମଧ୍ୟରେ ମତାନ୍ତର ହେବାରୁ ମାମଲା ପୋଲିସ ପର୍ଯ୍ୟନ୍ତ ଯାଇଥିଲା, କିନ୍ତୁ ସେତେବେଳେ କୌଣସି ଏଫ୍ଆଇଆର ହୋଇ ନଥିଲା। ପରବର୍ତ୍ତୀ ସମୟରେ ପୀଡ଼ିତା କଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଅଭିଷେକଙ୍କୁ ଗିରଫ କରିଥିଲା।
ଅଭିଷେକ ପୋରେଲଙ୍କ କ୍ରିକେଟ୍ କ୍ୟାରିୟର୍
୨୩ ବର୍ଷୀୟ ଯୁବ ୱିକେଟ୍ କିପର ବ୍ୟାଟର ଅଭିଷେକ ଘରୋଇ କ୍ରିକେଟ୍ରେ ବଙ୍ଗଳା ଦିଗରୁ ପ୍ରତିନିଧିତ୍ୱ କରନ୍ତି। ସେ ୩୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ର ୫୦ଟି ପାଳିରୁ ୧୪୦୮ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୧ଟି ଶତକ ଏବଂ ୧୨ଟି ଅର୍ଦ୍ଧଶତକ ସାମିଲ ଅଛି। ଏହାଛଡ଼ା ୨୩ଟି 'ଲିଷ୍ଟ୍ ଏ' ମ୍ୟାଚ୍ରୁ ୮୩୩ ରନ୍ ଏବଂ ୬୧ଟି ଟି-୨୦ ମ୍ୟାଚ୍ରୁ ୧୫୯୦ ରନ୍ ସେ କରିଛନ୍ତି। ଟି-୨୦ କ୍ରିକେଟ୍ରେ ତାଙ୍କ ନାଁରେ ୧୧ଟି ଅର୍ଦ୍ଧଶତକ ରହିଛି, ଯେଉଁଥିରୁ ୪ଟି ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆସିଛି।
୨୦୨୩ ମସିହାରୁ ଅଭିଷେକ ଆଇପିଏଲ୍ର ଦିଲ୍ଲୀ କ୍ୟାପିଟାଲ୍ସ ଦଳ ସହିତ ଜଡ଼ିତ ଅଛନ୍ତି। ସେ ଦିଲ୍ଲୀ ପାଇଁ ମୋଟ ୩୫ଟି ଆଇପିଏଲ୍ ମ୍ୟାଚ୍ ଖେଳି ୩୩ଟି ପାଳିରୁ ୭୬୯ ରନ୍ କରିଛନ୍ତି। ଚଳିତ ଆଇପିଏଲ୍ ସିଜିନ୍ରେ ତାଙ୍କୁ ମାତ୍ର ୪ଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା, ଯେଉଁଥିରେ ସେ ମାତ୍ର ୧୦୮ ରନ୍ କରିବାକୁ ସକ୍ଷମ ହୋଇଥିଲେ।