ନୂଆଦିଲ୍ଲୀ: ଆଇପିଏଲର ଆଗାମୀ ସିଜନକୁ ନେଇ କ୍ରିକେଟ୍ କରିଡରରେ ଚର୍ଚ୍ଚା ଜୋର ଧରିଛି। ମୁମ୍ବାଇ ଇଣ୍ଡିଆନ୍ସ (MI) ଛାଡ଼ି ଅନ୍ୟ କୌଣସି ଫ୍ରାଞ୍ଚାଇଜ୍ ସାମିଲ ହେବା ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ କଳ୍ପନାଜଳ୍ପନା ଚାଲିଛି। ସବୁଠାରୁ ବଡ଼ କଥା ହେଲା, ହାର୍ଦ୍ଦିକ କେକେଆର (KKR) ସାମ୍ନାରେ ଏକ ବଡ଼ ସର୍ତ୍ତ ରଖିଛନ୍ତି, ଯାହାକୁ ପୂରଣ କରିବା କୋଲକାତା ଦଳ ପାଇଁ ସହଜ ହେବ ନାହିଁ।
କେକେଆରରେ ସାମିଲ ହେବାକୁ ଚାହୁଁଛନ୍ତି ହାର୍ଦ୍ଦିକ?
ରିପୋର୍ଟ ମୁତାବକ, ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ମେଗା ଅକ୍ସନ ପୂର୍ବରୁ ଟ୍ରେଡ୍ ଜରିଆରେ ଅନ୍ୟ ଦଳକୁ ଯିବାକୁ ପ୍ରସ୍ତୁତ ଅଛନ୍ତି। ପୂର୍ବରୁ ଗୁଜରାଟ ଟାଇଟନ୍ସ (GT) କୁ ଫେରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଜିଟି (GT) ନିଜର ବର୍ତ୍ତମାନର ଅଧିନାୟକ ଶୁଭମନ ଗିଲ୍ଙ୍କୁ ବଦଳାଇବାକୁ ଚାହୁଁନାହିଁ। ଏହାପରେ ବର୍ତ୍ତମାନ ହାର୍ଦ୍ଦିକ କୋଲକାତା ନାଇଟ୍ ରାଇଡର୍ସରେ ଯିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି।
ଖବର ଅନୁଯାୟୀ, କେକେଆର ହାର୍ଦ୍ଦିକଙ୍କୁ ଅଧିନାୟକ କରିବାକୁ ରାଜି ଅଛି ଏବଂ ହାର୍ଦ୍ଦିକ ମଧ୍ୟ ଏଥିରେ ଖୁସି ଅଛନ୍ତି। କିନ୍ତୁ ଅସଲ ସମସ୍ୟା ହେଉଛି, ହାର୍ଦ୍ଦିକ ଚାହୁଁଛନ୍ତି ଯେ କେକେଆର ଡଗ୍ଆଉଟ୍ରେ ଥିବା ଜଣେ କୋଚ୍ଙ୍କୁ ଦଳରୁ ବାହାର କରାଯାଉ। ଆଉ ଏହି ଜିଦ୍ କାରଣରୁ ବର୍ତ୍ତମାନ ପାଇଁ ଟ୍ରେଡ୍ ଡିଲ୍ ଅଟକି ରହିଛି।
ଅନ୍ୟପକ୍ଷରେ, ଚେନ୍ନାଇ ସୁପର କିଙ୍ଗ୍ସ (CSK) ସହ ହାର୍ଦ୍ଦିକଙ୍କ ଯୋଡ଼ି ହେବା ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି। CSK ସିଇଓ କାସୀ ବିଶ୍ୱନାଥନ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କର ପ୍ରଥମ ପ୍ରାଥମିକତା ହେଉଛି ଜଣେ ନୂତନ କୋଚ୍ ନିଯୁକ୍ତି କରିବା। ଷ୍ଟିଫେନ୍ ପ୍ଲେମିଂଙ୍କ ବିଦାୟ ପରେ ଦଳ ନୂତନ କୋଚ୍ ଖୋଜୁଛି। ତେବେ ମୁମ୍ବାଇ ଏବଂ ଚେନ୍ନାଇ ମଧ୍ୟରେ ହାର୍ଦ୍ଦିକଙ୍କୁ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଆଲୋଚନା ହୋଇନାହିଁ। ନୂତନ କୋଚ୍ ଆସିବା ପରେ ହିଁ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।