ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଟେଷ୍ଟ୍ ଅଧିନାୟକ ଶୁଭମନ ଗିଲ୍ ଏବଂ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସମ୍ମୁଖରେ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ମଧ୍ୟକ୍ରମରେ 'ନମ୍ବର-୬' ସ୍ଥାନରେ କାହାକୁ ସୁଯୋଗ ମିଳିବ। ଏହି ସ୍ଥାନ ପାଇଁ ଧ୍ରୁବ ଜୁରେଲ ଏବଂ ସରଫରାଜ ଖାନଙ୍କ ମଧ୍ୟରେ କଡ଼ା ମୁକାବିଲା ଲାଗି ରହିଛି। ତେବେ ଖରାପ ଫର୍ମ ଦେଇ ଗତି କରୁଥିବା ଜୁରେଲଙ୍କ ଉପରେ କୋଚ୍ ଗମ୍ଭୀର କଡ଼ା ଚାପ ପକାଇଥିବା ବେଳେ ଶ୍ରୀଲଙ୍କା ଗସ୍ତ ତାଙ୍କ ପାଇଁ ଅଗ୍ନିପରୀକ୍ଷା ପାଲଟିଛି।
ଋଷଭ ପନ୍ତ ଭାରତୀୟ ଦଳର ପ୍ରଥମ ପସନ୍ଦର ୱିକେଟକିପର ହୋଇଥିବାରୁ ଧ୍ରୁବ ଜୁରେଲଙ୍କୁ ଅଧିକାଂଶ ମ୍ୟାଚ୍ରେ ଜଣେ ସ୍ୱତନ୍ତ୍ର ବ୍ୟାଟର ଭାବରେ ଖେଳିବାକୁ ପଡ଼ୁଛି। ମାତ୍ର, ଶେଷ କିଛି ମ୍ୟାଚ୍ରେ ତାଙ୍କ ବ୍ୟାଟ୍ରୁ ଆଶାନୁରୂପ ରନ୍ ବାହାରିନାହିଁ। ଜୁରେଲ୍ ତାଙ୍କର ଶେଷ ୬ଟି ଟେଷ୍ଟ ପାରିରେ ଗୋଟିଏ ବି ଅର୍ଧଶତକ ହାସଲ କରିପାରିନାହାନ୍ତି। ଗତ ନଭେମ୍ବର ୨୦୨୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ରେ ମଧ୍ୟ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। କମ୍ ସ୍କୋର ଏବଂ ୱିକେଟ୍ଫୋଫି ଦେବାର ଶୈଳୀକୁ ନେଇ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଉପରେ ସନ୍ତୁଷ୍ଟ ନାହିଁ।
ଆଫଗାନିସ୍ତାନ ବିପକ୍ଷରେ ବି ବିଫଳ ହୋଇଥିଲେ ଜୁରେଲ
ଗତ ଜୁନ୍ ମାସରେ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟରେ ଜୁରେଲ୍ ମାତ୍ର ୧୯ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଯଦିଓ ଏହା ପୂର୍ବରୁ ସେ ଇଣ୍ଡିଆ 'ଏ' ପକ୍ଷରୁ ଖେଳି ଶ୍ରୀଲଙ୍କା 'ଏ' ବିପକ୍ଷରେ ଶତକ ଓ ଅର୍ଧଶତକ ହାସଲ କରିଥିଲେ, କିନ୍ତୁ ଭାରତୀୟ ଦଳକୁ ଫେରିବା ପରେ ଅଭ୍ୟାସ ମ୍ୟାଚ୍ରେ ପୁଣି ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ସେ ଅଭ୍ୟାସ ମ୍ୟାଚ୍ର ଉଭୟ ପାରିରେ ମାତ୍ର ୧ ଏବଂ ୧୭ ରନ୍ କରି ଆଉଟ୍ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଟି ଟେଷ୍ଟ ଖେଳିବା ପରେ ତାଙ୍କର ବ୍ୟାଟିଂ ହାରାହାରି ୩୪.୧୪କୁ ଖସିଆସିଛି।
ସରଫରାଜଙ୍କ ପ୍ରତ୍ୟାବର୍ତ୍ତନ ବଢ଼ାଇଲା ମୁକାବିଲା
ଅନ୍ୟପକ୍ଷରେ, ସରଫରାଜ ଖାନଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଜୁରେଲଙ୍କ ପାଇଁ ଅଡ଼ୁଆ ବଢ଼ାଇ ଦେଇଛି। ସରଫରାଜ ଜୁରେଲଙ୍କ ଠାରୁ ୪ଟି ଟେଷ୍ଟ କମ୍ ଖେଳିଥିଲେ ମଧ୍ୟ ସମସଂଖ୍ୟକ ଶତକ ଏବଂ ଅଧିକ ଅର୍ଧଶତକ ହାସଲ କରିଛନ୍ତି। ଏଭଳି ସ୍ଥିତିରେ ଟିମ୍ ମ୍ୟାନେଜମେଣ୍ଟ ପାଖରେ ଜୁରେଲଙ୍କ ବଦଳରେ ସରଫରାଜଙ୍କୁ ସୁଯୋଗ ଦେବାର ଏକ ବଡ଼ ବିକଳ୍ପ ରହିଛି।