ଆଜି ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା ସହିତ ୮୦ତମ ସ୍ୱାଧୀନତା ଦିବସ ପାଳିତ ହେଉଛି। ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଐତିହାସିକ କାର୍ଯ୍ୟକ୍ରମର ହଜାର ହଜାର ଲୋକ ସାକ୍ଷୀ ରହିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ନଥିଲେ, ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ଦୁଇ ନେତା ଯୋଗ ନ ଦେବା ଘଟଣାରେ ବିଜେପି କଡ଼ା ସମାଲୋଚନା କରି କହିଛି ଯେ ଏହା ସେମାନଙ୍କର 'ଦିମାଗୀ ନକ୍ସଲ' ମାନସିକତାକୁ ଦର୍ଶାଉଛି।
ବିଜେପି ପ୍ରବକ୍ତା ପ୍ରଦୀପ ଭଣ୍ଡାରୀ ରାହୁଲଙ୍କ ଚିନ୍ତାଧାରାକୁ 'ଦିମାଗୀ ନକ୍ସଲ' ମାନସିକତା ବୋଲି କହିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ପ୍ରଶ୍ନ କରିଛନ୍ତି ଯେ କୌଣସି ଦେଶପ୍ରେମୀ ବିରୋଧୀ ଦଳ ନେତା କିମ୍ବା ସାଧାରଣ ପଦବୀରେ ଥିବା ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଏପରି କରିପାରିବେ କି? ସେ ରାହୁଲ ଗାନ୍ଧୀଙ୍କ ବିରୋଧରେ 'ବନ୍ଦେ ମାତରମ୍' ପ୍ରତି ଘୃଣା ମନୋଭାବ ରଖିଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି। ଭଣ୍ଡାରୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ହେବା ପାଇଁ ଯୋଗ୍ୟ ନୁହଁନ୍ତି। ସମାରୋହରେ ଯୋଗ ନ ଦେବା 'ବନ୍ଦେ ମାତରମ୍' ପ୍ରତି ତାଙ୍କର ଘୃଣା ଭାବକୁ ଦର୍ଶାଉଛି।
'ରାହୁଲ ଗାନ୍ଧୀଙ୍କ ଅପରିପକ୍ୱତା ଯୋଗୁଁ ଏପରି ହେଉଛି'
ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବଂ ଖଡ଼ଗେ ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସକୁ ଦଳଗତ ରାଜନୀତିରୁ ଊର୍ଦ୍ଧ୍ୱରେ ରଖିବା ଉଚିତ୍। ପ୍ରଧାନମନ୍ତ୍ରୀ ଯେତେବେଳେ ଭାଷଣ ଦିଅନ୍ତି, ସେତେବେଳେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତି। କିଛି ବର୍ଷ ହେବ ସେମାନେ ଏହାକୁ ବର୍ଜନ କରୁଛନ୍ତି। ରାହୁଲ ଗାନ୍ଧୀଙ୍କ ଅପରିପକ୍ୱତା ଏବଂ ଉଦ୍ଦଣ୍ଡତା ଯୋଗୁଁ ଏପରି ହେଉଛି। ସେ ଆହୁରି କହିଛନ୍ତି ଯେ ନକଲି ଗାନ୍ଧୀ ପରିବାରର ଅହଙ୍କାର ଯୋଗୁଁ ଏହା ଘଟୁଛି, ବିରୋଧୀ ଦଳ ସାମିଲ ହେବା ଉଚିତ୍, ସେମାନେ ଏକ ଭୁଲ୍ ପରମ୍ପରାକୁ ପ୍ରଶ୍ରୟ ଦେଉଛନ୍ତି।
'ଦୁଇ ନେତା ଉପସ୍ଥିତ ନରହିବା ଦୁର୍ଭାଗ୍ୟଜନକ'
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ନ ଦେବା ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ରାହୁଲ ଓ ଖଡ଼ଗେ ସଂସଦରେ ବିରୋଧୀ ଦଳର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି ଏବଂ ସ୍ୱାଧୀନତା ଦିବସ ଜାତୀୟ ଗୌରବ ଓ ଉତ୍ସବର ମୁହୂର୍ତ୍ତ। ଏପରି ସ୍ଥିତିରେ ଦୁଇ ନେତା ଲାଲକିଲ୍ଲାରେ ଉପସ୍ଥିତ ନରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ଗତବର୍ଷ ମଧ୍ୟ ଯୋଗ ଦେଇନଥିଲେ ରାହୁଲ ଓ ଖଡ଼ଗେ
ଏହା ଲଗାତାର ଦ୍ୱିତୀୟ ବର୍ଷ, ଯେତେବେଳେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲାଲକିଲ୍ଲାରେ ଆୟୋଜିତ ସରକାରୀ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇନାହାନ୍ତି। ଗତବର୍ଷ (୨୦୨୫) ମଧ୍ୟ ଦୁଇ ନେତା ଏହି କାର୍ଯ୍ୟକ୍ରମରେ ଭାଗ ନେଇନଥିଲେ, ଯାହାକୁ ନେଇ ସେତେବେଳେ ମଧ୍ୟ ବିଜେପି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲା।
ଏହି ବ୍ୟକ୍ତିମାନେ ହୋଇଥିଲେ ସାମିଲ
ଆଜିର ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଏବଂ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସମେତ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରମୁଖ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହା ଛାଡ଼ା ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟ କାନ୍ତ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପି.କେ. ମିଶ୍ର ଓ ଶକ୍ତିକାନ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ।