ଇଟାନଗର: ଅରୁଣାଚଳ ପ୍ରଦେଶରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ରାଜ୍ୟର ଦୁଇଟି ଭିନ୍ନ ଜିଲ୍ଲାରେ ଘଟିଥିବା ଭୟଙ୍କର ଭୂସ୍ଖଳନ ଏବଂ ହଠାତ୍ ଆସିଥିବା ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଲଗାତାର ବର୍ଷା କାରଣରୁ ଘଟିଥିବା ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭାରତୀୟ ସେନାର ୫ ଜଣ ଯବାନ ନିଖୋଜ ରହିଛନ୍ତି। ରାଜ୍ୟ ଜରୁରୀକାଳୀନ ଅପରେସନ୍ କେନ୍ଦ୍ରର ସୂଚନା ଅନୁଯାୟୀ, ଗତକାଲି ଅର୍ଥାତ୍ ଶୁକ୍ରବାର ସନ୍ଧ୍ୟାରେ ଏହି ଦୁର୍ଘଟଣାଗୁଡ଼ିକ ଘଟିଛି।
ଡିବାଂ ଭ୍ୟାଲିରେ ଭାସିଗଲା ସେନା ଶିବିର
ଡିବାଂ ଭ୍ୟାଲି ଜିଲ୍ଲାର ପାସୁ ପାଣି ଆର୍ମି କ୍ୟାମ୍ପରେ ଏକ ବଡ଼ଧରଣର ଅଘଟଣ ଘଟିଛି। କ୍ରମାଗତ ବର୍ଷା ଯੋଗୁଁ ସୃଷ୍ଟି ହୋଇଥିବା ହଠାତ୍ ବନ୍ୟା ସେନା ପଞ୍ଚମ ଗ୍ରେନାଡିୟର୍ସର ଦୁଇଟି ଆଶ୍ରୟସ୍ଥଳକୁ ଭସାଇ ନେଇଛି । ଏହି ସମୟରେ ୭ ଜଣ ଯବାନ ପାଣିରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ୫ ଜଣ ଯବାନ ଏବେ ବି ନିଖୋଜ ଅଛନ୍ତି। ନିଖୋଜ ଯବାନମାନଙ୍କ ମଧ୍ୟରେ ଜଣେ ହାବିଲଦାର ଉପେନ୍ଦ୍ର ଏବଂ ଅନ୍ୟ ଯବାନ କୁନ୍ଦନ, ବିନୋଦ, ଆଦିତ୍ୟ ଓ ସମୁନ୍ଦା ରହିଛନ୍ତି।
ଉପର ସୁବାନସିରିରେ ଭୂସ୍ଖଳନ, ୪ ମୃତ
ଅନ୍ୟପକ୍ଷେ, ଉପର ସୁବାନସିରି ଜିଲ୍ଲାର କିଓଜାରିଂ-ବ୍ୟାଚିଂ ରୋଡ୍ କଟିଂ ସାଇଟ୍ରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ସଡ଼କ ନିର୍ମାଣ କାମ ଚାଲିଥିବା ବେଳେ ହଠାତ୍ ପାହାଡ଼ ଧସିବାରୁ ସେଠାରେ କାମ କରୁଥିବା ଶ୍ରମିକମାନେ ମାଟି ଓ ପଥର ତଳେ ଚାପି ହୋଇଯାଇଥିଲେ। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ— ଟାଡୁ ବାକି, ତାଜି ରାଇ, ମର୍କୋଶ ବସୁମତାରୀ ଏବଂ ବାବୁଲ ଅଲି। ଏପର୍ଯ୍ୟନ୍ତ ବାବୁଲ ଅଲିଙ୍କ ମରଶରୀର ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଙ୍କୁ ଖୋଜା ଚାଲିଛି।
ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଭାରତୀୟ ସେନା, ଆଇଟିବିପି (ITBP) ର ୫୮ତମ ବାଟାଲିୟନ୍, ଜିଆରଇଏଫ୍ (GREF) ର ୬୨ ଆରସିସି, ରାଜ୍ୟ ପୋଲିସ ଏବଂ ଏସଡିଆରଏଫ୍ (SDRF) ଟିମ୍ ମିଳିତ ଭାବେ ଉଭୟ ସ୍ଥାନରେ ଉଦ୍ଧାର ଓ ତଲାସୀ ଅଭିଯାନ ଜାରି ରଖିଛନ୍ତି। ପ୍ରବଳ ବର୍ଷା ଓ ଦୁର୍ଗମ କାରଣରୁ ଉଦ୍ଧାର କାର୍ଯ୍ୟରେ କିଛିଟା ବାଧା ସୃଷ୍ଟି ହେଉଥିଲେ ମଧ୍ୟ ନିଖୋଜ ଯବାନ ଓ ଶ୍ରମିକମାନଙ୍କୁ ଖୋଜିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି।