ଭଦ୍ରକ: ବୈତରଣୀ ନଦୀର ଜଳସ୍ତର ଧୀରେଧୀରେ କମିବାରେ ଲାଗିଛି। ତେବେ ନଦୀର ଜଳସ୍ତର କମିଥିଲେ ମଧ୍ୟ ଭଦ୍ରକ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ଏବେ ବି ଜଳବନ୍ଦୀ ସ୍ଥିତି ଜାରି ରହିଛି। ଶନିବାର ଦିନ ୧୨ଟା ସୁଦ୍ଧା ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତଠାରୁ ତଳେ ପ୍ରବାହିତ ହେଉଥିଲା।
ଆଖୁଆପଦାରେ ବୈତରଣୀର ଜଳସ୍ତର ୧୮.୧୮ ମିଟର ରହିଥିବା ବେଳେ ବିପଦ ସଙ୍କେତ ୧୮.୩୩ ମିଟର ରହିଛି। ଜଳସ୍ତର କମିଥିଲେ ମଧ୍ୟ ତଳିଆ ଅଞ୍ଚଳରୁ ପାଣି ସମ୍ପୂର୍ଣ୍ଣ ହଟିନାହିଁ।
ଭଦ୍ରକ-ଆରଡ଼ି ଯୋଗାଯୋଗ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। କୋଠାର ଛକ ଓ ସୂର୍ଯ୍ୟପୁର ଛକରେ ପ୍ରାୟ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ବେଳେ ପହିଆସାହି ଛକରେ ପ୍ରାୟ ୨ ଫୁଟ ପାଣି ରହିଛି। ଫଳରେ ଏହି ଅଞ୍ଚଳରେ ଲୋକଙ୍କ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଦୀର୍ଘଦିନ ଧରି ଜଳବନ୍ଦୀ ଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଅନେକ ଅଞ୍ଚଳ ଏବେ ବି ପାଣି ଘେରରେ ରହିଥିବାରୁ ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରୁନଥିବା କହିଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ପ୍ରତିବର୍ଷ ଏଭଳି ଜଳବନ୍ଦୀ ସମସ୍ୟା ଦେଖାଦେଉଛି। ପାଣି ଜମି ରହିବାରୁ ରୋଷେଇ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି। ବୈତରଣୀର ଜଳସ୍ତର କମୁଥିବାରୁ ଆଗାମୀ ଦିନରେ ଜଳବନ୍ଦୀ ଅଞ୍ଚଳରେ ପରିସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି।