କେନ୍ଦ୍ରାପଡା : ଶେଷ ହେଲା କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଚାଲିଥିବା ଅନାସ୍ଥା ଭୋଟିଂ । ତିଖିରୀ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିବା ବେଳେ ୨୦ଜଣ ଉପସ୍ଥିତ ଥିବା ବେଳେ ଜଣେ ଅସୁସ୍ଥ କାରଣରୁ ଅନୁପସ୍ଥିତ ରହିଥିଲେ । ୨୨ ୱାର୍ଡ଼ ମେମ୍ବରଙ୍କ ମଧ୍ୟରୁ ୨୧ ଜଣ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ତେବେ ଅନାସ୍ଥା ଭୋଟିଂ ଫଳାଫଳ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ ଥିବାରୁ ଫଳାଫଳ ପ୍ରକାଶ ପାଇପାରିନି ।
ଏହି ଭୋଟିଂ ପରିଚାଳନା ଦାୟିତ୍ଵରେ ଦୁଇ ଜଣ ତହସିଲଦାର ଥିଲେ । ଭୋଟିଂ ପରିଚାଳନା ପଟ୍ଟାମୁଣ୍ଡାଇ ଓ ଡେରାବିଶ ତହସିଲଦାର କରିଥିଲେ l
ସୂଚନା ଥାଉକି ଗତ ଜୁଲାଇ ମାସ ୨୩ ତାରିଖରେ ସରପଞ୍ଚ ଚାମେଲୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା l ଏହାପରେ ଗତ ୨୭ ତାରିଖରେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ହୋଇଥିଲା ଦସ୍ତଖତ ଯାଞ୍ଚ ପ୍ରକ୍ରିୟା l ଆଜି ଥିଲା ଭୋଟିଂ l ଦିନ ୧୧ ଟାରେ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସରପଞ୍ଚ ଚାମେଲୀ ଓଝା ପଂଚାୟତ କାର୍ଯ୍ୟାଳୟ ରେ ପହଁଚି ଥିଲେ । ନିଜେ ଭୋଟ ନ ଦେଇ ନିଜର ଏକ ଦାବିପତ୍ର ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସରଙ୍କୁ ଦେଇ ଫେରି ଯାଇଥିଲେ। ଅପରାହ୍ନ ସାଢେ ଗୋଟାଏରେ ଭୋଟ ପ୍ରକ୍ରିୟା ଶେଷ ହୋଇଥିଲା l
ଭୋଟ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ ପାଇଁ ଜିଲ୍ଲାର ୫ ଜଣ ଆଇଆଇସି, ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ କେନ୍ଦ୍ରାପଡ଼ା ଏସଡିପିଓ ଜ୍ୟୋତି ରଞ୍ଜନ ଗୌଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିଷଦରେ ଉପସ୍ଥିତ ଥିଲେ l