କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ରଜାମୁଣ୍ଡା ଗାଁ ନିକଟ ଏନ୍ଏଚ୍-୫୯ ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୬୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ଧଳା କାର୍ ଓ ଦୁଇଟି ସ୍ମାର୍ଟ ଫୋନ୍ ଜବତ ହୋଇଛି। ଘଟଣାରେ ଜଣେ ଅଭିଯୁକ୍ତ ବାପି ପ୍ରଧାନ (୨୬ ବର୍ଷ)ଗିରଫ ହୋଇଥିବା ବେଳେ ଜଣେ ନାବାଳକଙ୍କୁ ଧରାଯାଇଛି।
କଳାହାଣ୍ଡି ଅବକାରୀ ଅଧୀକ୍ଷକ ରଞ୍ଜନ କୁମାର ନାଏକଙ୍କ ନିର୍ଦ୍ଦେଶ ଏବଂ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ଏକ୍ସାଇଜ୍ ସାଗରିକା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମ.ରାମପୁର ଅବକାରୀ ଥାନା ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ସଦର ରେଞ୍ଜର ଅବକାରୀ ଇନ୍ସପେକ୍ଟର ବିଜୟ ଭୂଷଣ ନାଏକଙ୍କ ସହଯୋଗରେ ଅବକାରୀ ଟିମ୍ ରାଜାମୁଣ୍ଡା ନିକଟରେ ଗାଡ଼ିଟିକୁ ଯାଞ୍ଚ କରିଥିବା ବେଳେ ଏକ ଧଳା କାର ରେଜିଷ୍ଟ୍ରେସନ୍ ନମ୍ବର OR-02-AW-9881 ଥିଲା ହେଲେ ଏହାର ମୂଳ ନମ୍ବର CG-04-HA-2811 ବୋଲି ଜଣାପଡ଼ିଛି। ଗଞ୍ଜେଇ ଓ ଅନ୍ୟ ସାମଗ୍ରୀ ଜବତ ପରେ ମ.ରାମପୁର ଅବକାରୀ ଥାନାରେ PR No. 124/26-27 ଅନୁଯାୟୀ ଏନ୍ଡିପିଏସ୍ ମାମଲା ରୁଜୁ କରାଯାଇଛି।
ଗଞ୍ଜେଇ ଚାଲାଣ ଭଳି ବେଆଇନ କାରବାରରେ ଜଣେ ନାବାଳକଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ତେବେ ନାବାଳକଙ୍କୁ ଏହି କାରବାରରେ କିଏ ଏବଂ କେଉଁ ପରିସ୍ଥିତିରେ ସାମିଲ କରିଥିଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଗଞ୍ଜେଇ ଚାଲାଣର ମୂଳ ନେଟୱର୍କକୁ ଚିହ୍ନଟ କରିବା ସହ ଯୁବପିଢ଼ିଙ୍କୁ ଏଭଳି ବେଆଇନ କାରବାରରୁ ଦୂରେ ରଖିବା ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏହି ଚଢ଼ାଉ ରେ ମଦନପୁର ରାମପୁର ଚାର୍ଜରେ ଥିବା ଓଆଇସି ଅଜିତ କୁମାର ନାଏକ ନେତୃତ୍ୱ ନେଇଥିଲେ ।