ଭୁବନେଶ୍ୱର: ଅପମିଶ୍ରିତ ପନିରକୁ ନେଇ ଚାଲିଥିବା ଧରପଗଡ଼ ପରେ ବଜାରରେ ବଦଳିଛି ଗ୍ରାହକଙ୍କ ପସନ୍ଦ। ପୂର୍ବରୁ ପନିର କିଣୁଥିବା ଅନେକ ଲୋକ ଏବେ ଛତୁ ଆଡ଼କୁ ମୁହାଁଇଛନ୍ତି। ଏହାର ପ୍ରଭାବରେ ଛତୁର ଚାହିଦା ବଢ଼ିବା ସହ ଦର ମଧ୍ୟ ଉପରମୁହାଁ ହୋଇଛି।
ବର୍ତ୍ତମାନ ବଜାରରେ ବଟମ୍ ଛତୁ କିଲୋ ପ୍ରତି ୨୨୦ରୁ ୨୪୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ପାଳ ଛତୁ ପାଇକାରୀରେ ୩୬୦ ଟଙ୍କାରେ କିଣାଯାଇ ଖୁଚୁରାରେ ପ୍ରାୟ ୪୦୦ ଟଙ୍କାରେ ବିକ୍ରି ହେଉଛି। ଦେଶୀ ଓ ସତେଜ ହୋଇଥିବାରୁ ବଟମ୍ ଛତୁ ଅପେକ୍ଷା ପାଳ ଛତୁକୁ ଗ୍ରାହକ ଅଧିକ ପସନ୍ଦ କରୁଥିବା ବ୍ୟବସାୟୀ କହିଛନ୍ତି।
ଅନ୍ୟପଟେ, ପନିର ଉପରେ ଚଢ଼ାଉ ପରେ ଏହାର ଦରରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖାଯାଇଛି। କିଲୋ ପ୍ରତି ୪୦ ଟଙ୍କା ବଢ଼ି ୨୬୦ ଟଙ୍କାରୁ ଏବେ ୩୦୦ ଟଙ୍କାରେ ପହଞ୍ଚିଛି। ଦର ବଢ଼ିବା ସହ ଗ୍ରାହକ କମିଥିବାରୁ ପନିର ବିକ୍ରି ପୂର୍ବ ଅପେକ୍ଷା ହ୍ରାସ ପାଇଥିବା କହିଛନ୍ତି ବ୍ୟବସାୟୀ।
ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷାକୁ ନେଇ ସଚେତନତା ବଢ଼ୁଥିବା ବେଳେ, ବଜାରରେ ଛତୁ ଏବେ ପନିରର ବିକଳ୍ପ ଭାବେ ଦ୍ରୁତ ଲୋକପ୍ରିୟ ହେଉଥିବା ଚିତ୍ର ସାମ୍ନାକୁ ଆସିଛି।